ସଞ୍ଜ ନଇଁ ଗଲା ପରେ
ସଞ୍ଜ ନଇଁ ଗଲା ପରେ
ସଞ୍ଜ ନଇଁ ଗଲେ ଵିଭାଵରୀ କୋଳେ
ଅନ୍ଧାର କାୟା ବିସ୍ତାରେ
ନିଃସଙ୍ଗ ଜୀଵନ ଏକୁଟିଆ ପଣ
ମୋତେ ଅଟ୍ଟହାସ୍ୟ କରେ।
ଆଶଙ୍କାରେ ମନ ହୃଦୟେ ସ୍ପନ୍ଦନ
ଭୟରେ କମ୍ପେ ଶରୀର।
ରାତ୍ରୀ ଗୋ ତୁମେ କାହିଁ ମୋ ଜୀଵନେ
ଚାଲିଆସ ବାରମ୍ବାର।
ପ୍ରିୟତମ ମୋର କାହିଁ କେତେ ଦୂର
ଅଛନ୍ତି ପରଵାସରେ
ବିଚ୍ଛେଦ ଯନ୍ତ୍ରଣା ଅକୁହା ବେଦନା
ନିତି ଜାଳି ପୋଡ଼ି ମାରେ।
ବିଚରଣ କରି ପକ୍ଷୀ ଆସେ ଫେରି
ତାର ସୁଖ ସଂସାରକ
ନିସ୍ତବ୍ଧ କୁଟୀର କରେ ହାହାକାର
ମୋ ନିଃସଙ୍ଗ ପଣିଆକୁ।
ଶ୍ରାଵଣର ଛିଟା ଲାଗେ ନାହିଁ ମିଠା
ରଙ୍ଗ ହୀନ ଯେ ଫଗୁଣ
ମଳୟ ସମୀର ଶରୀରକୁ ମୋର
ଜାଳଇ ଅନଳ ସମ।
ଵୃକ୍ଷ ଡାଳେ ଥାଇ ସୁମନ ହସଇ
ଵିତରି ଦେଇ ମହକ
ମୋ ହସ ଛଡାଇ ସାଥେ ନେଇ ଯାଇ
ରହିଲେ ହୋଇ ନିଦକ।
ବିଦଗ୍ଧ ପ୍ରାଣର ଆକୁଳ ଚିତ୍କାର
କିଏ ଵା ପାରିବ ଶୁଣି
ଅନ୍ତ ହୀନ ସେହି ଅକୁହା କଥା କୁ
ପାରିଵି ନାହିଁ ବଖାଣି।