STORYMIRROR

Salila Sarangi

Abstract

4  

Salila Sarangi

Abstract

ଶ୍ରୀ ରାମ ନବମୀ

ଶ୍ରୀ ରାମ ନବମୀ

1 min
431

ପାପୀ ମାନଙ୍କର ଅତ୍ୟାଚାର ଯେଵେ

    ବୃଦ୍ଧି ହୁଏ ଧରିତ୍ରୀ ରେ

ଅଵତାର ନେଇ ସ୍ବୟଂ ନାରାୟଣ

   ଆସନ୍ତି ଧରା ଵକ୍ଷରେ।

ଅଯୋଧ୍ୟା ନରେଶ ସତ୍ୟ ଧର୍ମ ନିଷ୍ଠ

     ଅପୁତ୍ରିକ ଦଶରଥ

ବଂଶ ରକ୍ଷା ପାଇଁ ଵ୍ୟାକୁଳିତ ହୋଇ

   ଗୁରୁ ସଙ୍ଗେ ପରାମର୍ଶ।

ଡାକି ଋଷ୍ୟଶୃଙ୍ଗ ପୁତ୍ରେଷ୍ଟି ଯଜ୍ଞର

   କରିବାକୁ ଆୟୋଜନ

ବିଶିଷ୍ଠ ଋଷିଙ୍କ ପରାମର୍ଶକ୍ରମେ

   ଜରଦା କଲା ଗମନ।

ଅନୁନୟ କରି ୠଷି ପାଦ ଧରି 

   ଆଣିଲା ଅଯୋଧ୍ୟା ପୁର

ଯଜ୍ଞ ସମାପନେ ସେ ଯଜ୍ଞକୁଣ୍ଡରୁ

  ‌ ଚରୁ ହୋଇଲା ବାହାର।

ଚରୁଅନ୍ନ ନେଇ ରାଜା ଗଲେ ଧାଇଁ

  କୌଶଲ୍ୟା କୈକେୟୀ ପାଶେ

ଅଧା ଅଧା କରି ଦୁଇ ରାଣୀ ମଧ୍ୟେ

   ବାଣ୍ଟିଲେ ରାଜା ହରଷେ।

ସେହି ଦୁଇ ରାଣୀ ନିଜ ନିଜ ଭାଗୁ

   ଅଧା ସୁମିତ୍ରାଙ୍କୁ ଦେଲେ

ଏହିପରି ଭାବେ ଚରୁର ପ୍ରଭାଵେ

   ସର୍ଵେ ଗର୍ଭବତୀ ହେଲେ।

ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ

  କୈ।ଶଲ୍ୟାଙ୍କ ଗର୍ଭ କଷ୍ଟ

ଘନ ଦୁର୍ଵାଦଳ ଅତୀବ କୋମଳ

   ପୁତ୍ର ହୋଇଲା ଭୁମିଷ୍ଠ।

ଲକ୍ଷ୍ମଣ, ଶତୃଘ୍ନ ସୁମିତ୍ରା କୋଳରେ

   ଭରତ କୈକେୟୀ କୋଳେ

ଏହି ପରି ତିନି ରାଣୀ ଚାରିପୁତ୍ର

   ଙ୍କର ଜନନୀ ହୋଇଲେ।

କୈ।ଶଲ୍ୟାଙ୍କ କୋଳେ ରାମ ଅଵତାରେ

   ବିଷ୍ଣୁ ଅଵତାର ନେଲେ

ପିତୃସତ୍ୟ ପାଳି ଚତୁର୍ଦ୍ଦଶ ବର୍ଷ

  ‌ ବନବାସୀ ହୋଇଥିଲେ।

ଅର୍ଦ୍ଧାଙ୍ଗିନୀ ସୀତା ଅନୁଜ ଲକ୍ଷ୍ମଣ

 ‌‌ ଅନୁଗାମୀ ତାଙ୍କ ସହ

ଭାଗ୍ୟ ବିଡମ୍ବନା ଅକଥ୍ୟ ଯାତନା 

  ଭୋଗିବାକୁ ଥିଲା ହାୟ।

କେତେ ପାପୀ ଦୁରାଚାରୀ ଙ୍କୁ ବିନାଶ

   ‌‌କରିଲେ ସେ ଵନବାସେ

ମାୟାବୀ ରାବଣ ସୀତାଙ୍କୁ ହରିଲା

    ମାୟା ରଚି ଅବଶେଷେ।

 ସେତୁ ଵନ୍ଧ ବାନ୍ଧି ରାବଣକୁ ବଧୀ

    ସୀତାଙ୍କୁ ଉଦ୍ଧାର କଲେ 

ଫେରିଲେ ଅଯୋଧ୍ୟା ସୁଖେ ପାଳି ପ୍ରଜା

    ପୁରୁଷୋତ୍ତମ ହୋଇଲେ।

 ସତ୍ୟ, ଧର୍ମ,ତ୍ୟାଗ,ନ୍ୟାୟର ପ୍ରତୀକ

   ସେହି ମର୍ଯ୍ୟାଦା ପୁରୁଷ

ରାମାୟଣ ପୃଷ୍ଠା ଅମଳିନ ଗାଥା

    ଗାଉଥିଵ ବର୍ଷ ବର୍ଷ।

ସ୍ବୟଂ ନାରାୟଣ ଭୋଗିଲେ କଷଣ

    ମାନଵ ଲୀଳା ଆଚରି

କେତେ ଶାପଗ୍ରସ୍ଥ ହୋଇଛନ୍ତି ମୋକ୍ଷ

    ସେହି ପଦ ସ୍ପର୍ଶ କରି।

ପରମ ପାଵନ ସେ ଅମୃତ ନାମ

   ଚିରନ୍ତନ ସତ୍ୟ ସେହି

ରାମ ନାମ ଘୋଷ ଜପରେ ମାନସ

  ସେ ନାମ ବ୍ରହ୍ମକୁ ଧ୍ୟାୟୀ।

ଶ୍ରୀ ରାମ ନବମୀ ରାମ ଜନ୍ମୋତ୍ସବ

 ‌‌ କରନ୍ତି ସର୍ଵେ ପାଳନ

 ନଵ ଦିନ ରାମ ଚରିତ ମାନସ

   ‌ହୋଇଥାଏ ପାରାୟଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract