ସନ୍ତାପିତ ହୃଦୟ
ସନ୍ତାପିତ ହୃଦୟ
ସମୟ ନିଷ୍ଠୁର ନୁହେଁ ନିଜର
ଜନ୍ମ ମୃତ୍ୟୁ ମଧ୍ୟେ କାଳ କ୍ଷଣର
ପାଇଛୁ ଅନେକ ଖୁସି ହସରେ
ହଜିଛି ସପନ ଯେ ହତାଶରେ
ଜୀବନ ଏଠାରେ
ଛଟ ପଟ ହୁଏ ସେ କାମନାରେ ll
ବାପା ମାଆ ମୃତ ଵିଧି ନିଶ୍ଚିତ
ଶୋକରେ ଅଧୀର କରେ ବ୍ୟଥିତ
ପିତା ଥାଇ ପୁତ୍ର ଯମ ନିକଟେ
ଆଗ ବାହୁଡଇ ହୃଦୟ ଫାଟେ
ଯନ୍ତ୍ରଣା ଦାରୁଣ
ଏଇତ ଜୀବନ ଅଢେଇ ଦିନ ll
ପୁତ୍ର ଝିଅ ପାଇଁ ଜୀବନ ଦେଉ
ତାଙ୍କ ପ୍ରଗତିରେ ଆନନ୍ଦ ପାଉ
ବଡ଼ ହେଲା ପରେ ସ୍ୱାଧୀନ ହୋଇ
କାମ କରେ ସେହି ପଚାରେ ନାହିଁ
ଅକୁହା ବେଦନା
ଅସହ୍ୟ ହୁଅଇ ପାଇ ଯାତନା ll
ପ୍ରଥମ ପ୍ରେମକୁ ଭୁଲି ପାରୁନା
ଅବ୍ୟକ୍ତ ରୁହଇ ନିଜ ଭାବନା
ସମୟ ଚକ୍ରରେ ବଞ୍ଚିବା ଶିଖୁ
ଭଙ୍ଗା ହୃଦୟକୁ ସାଇତି ରଖୁ
ମନର ଆଘାତ
ପାଇକି ହୁଅଇ ଯେ ମର୍ମାହତ ll
ଜୀବନ ସାଥିଟି ଫେସନେ ମାତି
ଆଧୁନିକ ନାମେ ଭୁଲେ ସଂସ୍କୃତି
ଧରମ ଭାଇକୁ କରେ ପୀରତି
ଲଜ୍ଜ୍ୟା ହୀନ କର୍ମେ ରଖଇ ମତି
ଆଜିର ସମାଜେ
ଶିକ୍ଷା ହୀନ ବ୍ୟକ୍ତି କଳଙ୍କ ସାଜେ ll
ଦଇବ ହାତରେ ଦଉଡି ଧରି
ନାଚାଏ ଆମକୁ ତା ଥେଇ କରି
ଆପଣା ଦରବ ଛଡାଇ ନେଇ
କରେ ଜର୍ଜରିତ ଦୁଃଖକୁ ଦେଇ
ହୃଦୟ ଆମର
ସନ୍ତାପିତ ହୁଏ ହୋଇ ଅସ୍ଥିର ll