ଶବ୍ଦଙ୍କ ବାସନ୍ଦ
ଶବ୍ଦଙ୍କ ବାସନ୍ଦ


ବିବଶତାର ମେଖଳା ଭିତରେ
ଚାରିକାତ ମେଲାଇ ଅଳସ ଭାଙ୍ଗୁଛି
ଅବଶ ଭାବନା
ଶୂନ୍ୟତାର ଦୀର୍ଘଶ୍ବାସରେ
ଶବ୍ଦଙ୍କ ଅନ୍ୱେଷଣରେ
ଛଟପଟ ଅନ୍ତଃସତ୍ଵା କବିତା
ନିଖୋଜ ହେବାର ଏତଲା ସହିତ
ଖୋଜା ଚାଲିଛି ଶବ୍ଦମାନଙ୍କୁ
ସ୍ତମ୍ଭୀଭୂତ ସମୟର ଚୌହଦୀ ଭିତରେ
ଶବ୍ଦମାନେ ବି ଆସିବାକୁ ନାରାଜ
ସେମାନେ ବି ଅଛନ୍ତି ଲକ୍ ଡାଉନରେ
ନିଜକୁ ଛନ୍ଦି ଦେଇଛନ୍ତି
ଅନାହୂତ ଆଳସ୍ୟପଣରେ
ବେଶ ମସଗୁଲ ସେମାନେ
ଉର୍ବର ମସ୍ତିଷ୍କର ସଂକୀର୍ଣ୍ଣ ସାଗରରେ
ଅଣନିଶ୍ୱାସୀ ହେବାରୁ
ତ୍ରାହି ମିଳିବାର ଖୁସିରେ
ବେଖାତିର କରିଚାଲିଛନ୍ତି
ପାହାନ୍ତିଆ ଶାନ୍ତ କୋମଳ ମୂହୁର୍ତ୍ତକୁ
ଦିପହରର ଶୁଷ୍କ ଶୂନ୍ୟତାକୁ
ନିର୍ଦ୍ଦୟ ଶବ୍ଦଙ୍କ ତନ୍ତ୍ରରେ
ଝାଉଁଳି ପଡିଲେଣି
ଦିନ ଓ ରାତିର ମୋଡ଼ ଏବଂ
ଅନୂଢ଼ା ରାତିର କମନୀୟ ଆଦ୍ରତା
ଶୀତୁଆ ସଞ୍ଜର ଉଷୁମ ପିଆଲା
ଗୁମସୁମ ରାତିର ଆଲିଙ୍ଗନକୁ
ଅନୁଭବିବାକୁ ମଧ୍ୟ ବୀତସ୍ପୃହ ସେମାନେ
ସ୍ବେଚ୍ଛା ନିର୍ବାସନର ଦଣ୍ଡ ନାମରେ
ଏବେ କଲବଲ କରୁଛନ୍ତି
ଅକ୍ଷରମାନଙ୍କୁ
ଅକର୍ମଣ୍ୟ ଅକ୍ଷରମାନେ ବି
ଏକାଠି ମେଳି କଲେଣି
ଶବ୍ଦଙ୍କ ବାସନ୍ଦ ବିରୋଧରେ
କୋଉ ଆଦିମ କାଳରୁ
ସ୍ୱାକ୍ଷରିତ ଚୁକ୍ତିପତ୍ରକୁ
ବାତିଲ କରିବାକୁ
କବିଙ୍କ ସପକ୍ଷରେ