STORYMIRROR

Asutosh Patro

Abstract Classics

4  

Asutosh Patro

Abstract Classics

ଶବ୍ଦଙ୍କ ବାସନ୍ଦ

ଶବ୍ଦଙ୍କ ବାସନ୍ଦ

1 min
29


ବିବଶତାର ମେଖଳା ଭିତରେ

ଚାରିକାତ ମେଲାଇ ଅଳସ ଭାଙ୍ଗୁଛି

ଅବଶ ଭାବନା


ଶୂନ୍ୟତାର ଦୀର୍ଘଶ୍ବାସରେ

ଶବ୍ଦଙ୍କ ଅନ୍ୱେଷଣରେ

ଛଟପଟ ଅନ୍ତଃସତ୍ଵା କବିତା


ନିଖୋଜ ହେବାର ଏତଲା ସହିତ

ଖୋଜା ଚାଲିଛି ଶବ୍ଦମାନଙ୍କୁ

ସ୍ତମ୍ଭୀଭୂତ ସମୟର ଚୌହଦୀ ଭିତରେ


ଶବ୍ଦମାନେ ବି ଆସିବାକୁ ନାରାଜ 

ସେମାନେ ବି ଅଛନ୍ତି ଲକ୍ ଡାଉନରେ

ନିଜକୁ ଛନ୍ଦି ଦେଇଛନ୍ତି

ଅନାହୂତ ଆଳସ୍ୟପଣରେ


ବେଶ ମସଗୁଲ ସେମାନେ

ଉର୍ବର ମସ୍ତିଷ୍କର ସଂକୀର୍ଣ୍ଣ ସାଗରରେ

ଅଣନିଶ୍ୱାସୀ ହେବାରୁ

ତ୍ରାହି ମିଳିବାର ଖୁସିରେ 


ବେଖାତିର କରିଚାଲିଛନ୍ତି

ପାହାନ୍ତିଆ ଶାନ୍ତ କୋମଳ ମୂହୁର୍ତ୍ତକୁ

ଦିପହରର ଶୁଷ୍କ ଶୂନ୍ୟତାକୁ


ନିର୍ଦ୍ଦୟ ଶବ୍ଦଙ୍କ ତନ୍ତ୍ରରେ

ଝାଉଁଳି ପଡିଲେଣି

ଦିନ ଓ ରାତିର ମୋଡ଼ ଏବଂ

ଅନୂଢ଼ା ରାତିର କମନୀୟ ଆଦ୍ରତା


ଶୀତୁଆ ସଞ୍ଜର ଉଷୁମ ପିଆଲା

ଗୁମସୁମ ରାତିର ଆଲିଙ୍ଗନକୁ

ଅନୁଭବିବାକୁ ମଧ୍ୟ ବୀତସ୍ପୃହ ସେମାନେ


ସ୍ବେଚ୍ଛା ନିର୍ବାସନର ଦଣ୍ଡ ନାମରେ

ଏବେ କଲବଲ କରୁଛନ୍ତି

ଅକ୍ଷରମାନଙ୍କୁ


ଅକର୍ମଣ୍ୟ ଅକ୍ଷରମାନେ ବି 

ଏକାଠି ମେଳି କଲେଣି

ଶବ୍ଦଙ୍କ ବାସନ୍ଦ ବିରୋଧରେ

କୋଉ ଆଦିମ କାଳରୁ 

ସ୍ୱାକ୍ଷରିତ ଚୁକ୍ତିପତ୍ରକୁ 

ବାତିଲ କରିବାକୁ

କବିଙ୍କ ସପକ୍ଷରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract