ବିବର୍ତ୍ତନ
ବିବର୍ତ୍ତନ


ପ୍ରଶ୍ନବାଚୀର ଶିକୁଳିରେ
ବନ୍ଧା ପଡିଛି ଆଜି
ଏକଛତ୍ରବାଦର ଈଶ୍ୱର ସାଜିଥିବା
ସୃଷ୍ଟିର ଶ୍ରେଷ୍ଠତ୍ୱ
ଜଗତର ବିସ୍ତୀର୍ଣ୍ଣ ପରିସୀମା ଭିତରେ
ନିଜକୁ ସଂକୁଚିତ କରିବାକୁ ବାଧ୍ୟ ହେଲାଣି
ଆତ୍ମଘୋଷର ତୂର୍ଯ୍ୟନାଦ
ଅହଂକାରର ଉତ୍ତାଳ ଊର୍ମିରେ ଭାସିଭାସି
କୂଳ ପାଶୋରି ଦେଲାଣି
କୋକେଇରେ ବୁହା ହେଉଥିବା
ଏନ୍ତୁଡ଼ିଶାଳର ନିଆଁ
ବୁଣି ଚାଲିଥିବା ଅବଜ୍ଞାର
ସରହଦକୁ ଅତିକ୍ରମ କରି
ଯୁଦ୍ଧମ୍ ଦେହୀ ଡାକରା ଦେଲାଣି
ଜନ୍ମଲଗ୍ନକୁ ଗଣନା କରିକରି
ନିଜକୁ ଶକ୍ତ କରିସାରିଥିବା
ଜଗତକୁ ଭଲପାଇବାର
ଶୂନ୍ୟତା
ବିବର୍ତ୍ତନ ଚକିରେ ପେଷିହୋଇ
ନୂତନ ସୃଷ୍ଟିର ବିଗୁଲ ବଜାଇଲାଣି
ଶ୍ରେଷ୍ଠ ମସ୍ତିଷ୍କର ନିକୃଷ୍ଟ ମନୋଭାବରୁ
ନିଜକୁ ମୁକ୍ତ ଘୋଷଣା କରିସାରିଥିବା
ଛାତି ଭିତରର ଲୁକ୍କାୟିତ ଭୟ
କେବଳ ଶ୍ରେଷ୍ଠତ୍ୱ ନୁହେଁ
ଭୂତ ଭୂତାଣୁ ମଧ୍ୟ ବନ୍ଧା ପଡିଛନ୍ତି
ବାଧ୍ୟ ଶିଶୁଟିଏ ଭଳି
ଗତାନୁଗତିକ ଜୈବିକ କ୍ରମର
ସେଇ ଅନନ୍ତ ସମୟ ଚକ୍ରରେ
ସାବଧାନ ସାବଧାନ !
ନୂତନ ବିବର୍ତ୍ତନ ବି ଯୋଡ଼ିଦେଇପାରେ
ବିଭୀଷିକାର ଫର୍ଦ୍ଦଟିଏ
ନିରଙ୍କୁଶ ସାମ୍ରାଜ୍ୟର ସ୍ବର୍ଣ୍ଣିମ ଇତିହାସରେ
*****