ସ୍ମୃତିର ମହାମିଳନ
ସ୍ମୃତିର ମହାମିଳନ


ଝାପ୍ସା ପଡିଗଲାଣି ସମୟର କାନଭାସରେ
ପିଲାଦିନର ଲୁଚକାଳି ଆଉ ଧୂଳିଖେଳ
ଜମା ହେଲେଣି ତା ଉପରେ ପୁଣି
ଅନେକ ସ୍ମୃତିର ସଞ୍ଜ ଓ ସକାଳ ।
ରହୁ ନଥିଲା ମନରେ କାହାର
ଛନ୍ଦ କପଟର ଲେଶମାତ୍ର ଚିହ୍ନ
ହୃଦୟ ଅଳିନ୍ଦରେ ବିରାଜୁଥିଲା
କୁଆଁର ପୁନେଇର ତୋଫା ଜହ୍ନ ।
କେତେ ରାଗ ରୁଷା କେତେ ଅଭିମାନ
ଭାଙ୍ଗି ଯାଉଥିଲା ଆନ କ୍ଷଣେ
ସାଉଁଟି ରଖୁଥିଲେ ଇଡି ହୋଇଯାଇଥିବା
ମଧୁର ବେଳାକୁ ଅତି ଯତନେ ।
ଛବିଶିଟି ବସନ୍ତ ହଜିଲେଣି ଏବେ
କାଳର କରାଳ ବକ୍ଷରେ
ଜୀବନ ଜଞ୍ଜାଳକୁ ସଂଖୋଳି ସଂଖୋଳି
ଅନେକ ବାଟ ମାପିଲେଣି ଦୁଃଖ ସୁଖରେ ।
ସମୟ ବି ଡାକୁଛି ତୁମକୁ ମୋତେ
ହେବା ଆଜି ଏଠି ଭେଟାଭେଟି
ଚିହ୍ନିବା ଚିହ୍ନାଇବା ନିଜକୁ ଅନ୍ୟକୁ
ମନର ପୁରୁଣା ଆଲବମ ପୃଷ୍ଠାକୁ ଓଲଟି ।
ଓହ୍ଲାଇ ଆସିଲେଣି ପାହାଡ଼ ତୀଖରୁ
ଅନେକ ରଙ୍ଗବେରଙ୍ଗୀ ସପନ
କାଳର ଛାତିରେ ଆଙ୍କି ହେଇଯିବ
ବନ୍ଧୁତ୍ୱର ଏହି ମହାମିଳନ ।
ଆସ ଆଜି ଆମେ ଶୁଣାଇବା
ମନର କୋଣରେ ଗୋପନେ ସାଇତା ଗୀତ
ସୁଖ ଦୁଃଖ ଭୁଲି ମସଗୁଲ ହେବା
ଲୟ ଫେରି ପାଉ ପୁଣି ବେସୁରା ଜୀବନ ସଂଗୀତ।