ଏକାନ୍ତବାସରେ
ଏକାନ୍ତବାସରେ


ମୁଁ ଖୋଜୁଥିଲି
କେଇଘଣ୍ଟାର ନିଃସଙ୍ଗତା
ନୈଶବ୍ଦ ଭିତରେ ହଜିବାକୁ
ମସ୍ତିଷ୍କର ଶିରାପ୍ରଶିରାକୁ
ଟିକେ ମହଲତ ଦେବାକୁ
କେଇଦିନର
ଏଇ ଅକସ୍ମାତ ଏକାନ୍ତବାସ ଭିତରେ
ମୁଁ କଥା ହୋଇପାରିଛି
ମୋ ଦ୍ୱାରା ମରାମତି ହୋଇ
କାଂଥକୁ ଡେରି ଠିଆ ହୋଇଥିବା
ମୋ ଜେଜେଙ୍କର ବଂକୁଲି ବାଡ଼ି ସହ
ଅନଭିଜ୍ଞ ହାତରେ ଆଙ୍କି
କେବେ ମୋ ଝିଅ ଦେଇଥିବା
ରଙ୍ଗମଖା ଅବୁଝା ଚିତ୍ର ସହ
ହଷ୍ଟେଲରୁ ଫେରି
ଛୁଟି କାଟୁଥିବା ପୁଅର
ଅସରନ୍ତି ଅବ୍ୟକ୍ତ ଅପ୍ରକାଶ୍ୟ ଭାବନାଙ୍କ ସହ
କ୍ଳାନ୍ତ ହୋଇ ଫେରିବା ପରେ
ବିଶ୍ରାମରେ ବ୍ୟାଘାତ ସୃଷ୍ଟି ନକରିବା ପାଇଁ
ଚାହୁଁଥିବା ବୋଉର ଭଲପାଇବା ସହ
କେତେ ସରାଗରେ ପତ୍ନୀ
ରୋଷେଇ କରି ବାଢି ଦେଉଥିବା
ସ୍ୱାଦିଷ୍ଟ ବ୍ୟଞ୍ଜନ ସହ
ମୁଁ କଥା ହେଉଥିଲି
ମୋ ଦ୍ୱାରା ଅଧା ଅଙ୍କା ପେଣ୍ଟିଂ ସହ
ମୋ ଅପେକ୍ଷାରେ ଥିବା
ବହି ଥାକର କେଇଟି ଅପଢ଼ା ବହି ସହ
ପରସ୍ତେ ଧୂଳିର ବୋଝରେ
କୋଣରେ ନିସ୍ତେଜ ପଡିଥିବା
ମାଉଥ ଅର୍ଗାନ ସହ
ଅବସର ପରେ
ସ୍ୱର ଲୟ ପାଶୋରି ସାରିଥିବା
ବୟସ୍କ ହାର୍ମୋନିଅମ ସହ
ମୁଁ କଥା ହେଉଥିଲି
ମୋ ପୁରୁଣା ଆଲବମରେ
ବନ୍ଦୀ ଥିବା କେଇଟି ସ୍ମୃତିମାନଙ୍କ ସହ
ମୁହଁ ଶୁଖାଇ କୋଣଠେସା ପଡିଥିବା
କଳଙ୍କି ଲଗା ଭଙ୍ଗା ସାଇକେଲ ସହ
ଚମଡା ଖୋଳ ଭିତରେ
ନିଜକୁ ଏକଦମ ଭୁଲିଯାଇଥିବା
ଫିଲିପ୍ସ ରେଡ଼ିଓ ସହ
ମୋତେ ଚେତେଇ ଚେତେଇ
ଥକି ପଡି ବନ୍ଦ ହୋଇଯାଇଥିବା
ବାପାଙ୍କ ପ୍ରଦତ୍ତ ଏଚ.ଏମ.ଟି. ଘଡି ସହ
ମୁଁ କଥା ହେଉଥିଲି
ମୋର ଅନେକ ମଧୁର ସ୍ମୃତିସହ
କେଇଟି ହୃଦୟଥରା ଦୁର୍ଘଟଣା ସହ
ଅପାଶୋରା ଦୁଃଖଦ ମୂହୁର୍ତ୍ତ ସହ
ଆଉ ସମୟ ପାଇଥିଲି
କଥା ହେବାକୁ ମୋ ନିଜ ସହ
ଅଚାନକ ନିଦ ଭାଙ୍ଗିଗଲା
କାଲି ରାତିର କୋଳାହଳରେ
ସନ୍ତର୍ପଣରେ ଦେଖିଲି
ସେମାନେ ସମସ୍ତେ ଏକାଠି
ମଉଜ ମଜଲିସରେ ବ୍ୟସ୍ତ ଥିଲେ
ପାର୍ଟି କରୁଥିଲେ
ମୋତେ ଫେରିପାଇବାର ଖୁସିରେ