ବାପା
ବାପା


ଉପରକୁ ସିଏ ରାଗର ସୂରୁଜ
ଭିତରେ ଶାନ୍ତିର ଜହ୍ନ
ବଂଶ ବୁନିଆଦି ଗୁଣବତ୍ତା ସୂତ୍ରେ
ଆଲୋକ ବର୍ତ୍ତିକା ଚିହ୍ନ !
ଏଇ ପରିବାର ମହାଦ୍ରୁମ ସତେ
ଲାଳନ ପାଳନ ଛୁଆ
ଖରା ବର୍ଷା ଶୀତ ସର୍ବ ଦୁଃଖ ସହି
ବାପା ଯେ ସୁଖର ଦୁଆ !
ଆଶିଷର ସିଏ ଲମ୍ବାହାତ ଗୋଟେ
ହୃଦୟ ମୁକୁଳା ହାସ୍ୟ
ଜୀବନ ଶ୍ରେଣୀରେ ଗୁରୁ ଗଉରବ
ଶିକ୍ଷାର ପ୍ରେରଣା ଶିଷ୍ୟ !
ପୁଣ୍ୟର ମନ୍ଦିରେ ଚଳନ୍ତି ଠାକୁର
ସୁଦୟ ପ୍ରକାଶ ପ୍ରାଣ
ସତ୍ୟର ନିଷ୍ଠାରେ ନିତ୍ୟର ବନ୍ଦନା
ବିଶେଷ ଦୁର୍ଲଭ ଗୁଣ !
ଆଶ୍ବାସର ପୁଣି ନିଃଶ୍ବାସ ପ୍ରଶ୍ବାସ
ଶୋଣିତ ଧାରାର ସ୍ନେହ
ପିତୃ ପୁରୁଷର ସନାତନୀ ଆସ୍ଥା
ଅଭୁଲା ସ୍ମାରକ ମୋହ !