STORYMIRROR

Jagannath Barik

Abstract Classics Inspirational

3  

Jagannath Barik

Abstract Classics Inspirational

ମାଆର ମମତା

ମାଆର ମମତା

1 min
112

ମାଆଟିଏ ସିଏ, ମାଆଟିଏ

ରକତ ମାଉଁସ ଶରୀରଧାରିଣୀ,

 ଦେବୀଟିଏ ସିଏ ଦେବୀଟିଏ |(0)


ସୀମାହୀନ ତାର ସେନେହ ମମତା

     ପାରାବାର ଯହିଁ ମଥା ନୁଏଁ

ବାତ୍ସଲ୍ୟ ରସର ଅମୀୟ ନିର୍ଝର

      ମନ୍ଦାକିନୀ ସମ ବହୁଥାଏ |(1)


ତ୍ୟାଗ ତିତିକ୍ଷାର ଅସରା ଭଣ୍ଡାର

      ପଣତ ଅଭୟ ଛତାଟିଏ

ତା କୋଳ ବୈକୁଣ୍ଠ ପଦରଜ ତୀର୍ଥ

     ଯହିଁ ଚାରିଧାମ ରହିଥାଏ |(2)


ସହନେ ଧରିତ୍ରୀ ଜ୍ଞାନରେ ଗାୟତ୍ରୀ

    ସେବାର ଅମରାବତୀ ସିଏ

ସନ୍ତାନ ପାଇଁକି ରକ୍ତ ନିଗାଡ଼ିକି

    କେତେ ସେ ସପନ ଦେଖୁଥାଏ |(3)


ଦଶ ମାସ ଦଶ ଦିନ ଗର୍ଭେ ଧରି

      ପ୍ରସୂତି ବେଦନା ସହିଥାଏ

ସ୍ତନ ଭାଙ୍ଗି କ୍ଷୀର ଦାନେ ସନ୍ତାନର

      କଳେବର ବୃଦ୍ଧି କରିଥାଏ |(4)


କୋଳେଇ କାଖେଇ ଖୁଆଇ ପିଆଇ

     କେତେସେବା ଯତ୍ନ କରୁଥାଏ

ପୁଅର ଆଖିରୁ ଲୁହ ଝରିଗଲେ

     ତା ଦେହୁ ରକତ ବୋହୁଥାଏ |(5)


ନିଜେ ଜଳି ଜଳି ସନ୍ତାନ ମୁହଁରେ

       ଖୁସିର ଲହରୀ ଦେଖୁଥାଏ

ପେଟୁ କାଟିକୁଟି ମରେ ଖଟିଖଟି

      ପୁଅର ଜୀବନ ଗଢ଼ିନିଏ |(6)


ପାଠ ପଢ଼ି ପୁଅ ଚାକିରୀ କରିଲା

     ମାଆର ଆନନ୍ଦ ଦେଖେ କିଏ

ବାଛି ବାଛି ଭଲ ବୋହୂଟିଏ ଆଣେ

    ଗୋଟିଏ ଚାଉଳେ ଗଢ଼ା ସିଏ |(7)


ଦିନ କେଇଟାରେ ସବୁ ବିପରୀତ

    ବୋହୂ ବୋଲକରା ପୁଅ ହୁଏ

ଏକୁଟିଆ ଛାଡ଼ି ମାଆକୁ ଗାଆଁରେ

    ଆରାମେ ସହରେ ଯାଇ ରୁହେ |(8)


ମାଆ ଭଲମନ୍ଦ ଜମାରୁ ବୁଝେନା

    ମାଆ କଥା ପୂରା ଭୁଲି ଯାଏ 

ଅସରା ଅସରା ଲୁହ ତ ଅସରା

    ଦିନରାତି ମାଆ ଝୁରୁଥାଏ |(9)


ପୁଅର କାଳେ କି ଅମଙ୍ଗଳ ହେବ

    ଆଖି ଲୁହ ଓଠେ ପିଇ ଦିଏ 

ଅନ୍ତର କୋହକୁ ଛାତିତଳେ ଚାପି 

   ସକଳ ବେଦନା ସହି ନିଏ |(10)


ବର୍ଷେ ପରେ ପୁଅ ଘରକୁ ଆସିଲା

    ଦେଖିଦେଲା ମାଆ ଶଯ୍ୟାଶାୟୀ

ପୁଅ ପୁଅ ବୋଲି ଆକୁଳ ହେଉଛି

    ମାଆ ନିକଟକୁ ଗଲା ଧାଇଁ |(11)


ପୁଅର ମଥାକୁ ଆଉଁସି ସରାଗେ

   କେତେ ଆଶୀର୍ବାଦ ବରଷିଲା 

ବିଗତ ଦୁଃଖକୁ କାହିଁ ଭୁଲିଗଲା 

    ମୁଖରେ ତା ହସ ଫୁଟୁଥିଲା |(12)


ଏଇତ ମାଆର ବିଶାଳ ହୃଦୟ

   ଧରା ଆକାଶକୁ ଲଙ୍ଘିଯାଏ 

ପୁଅ ବୋହୂ ଦୁହେଁ ଅନୁତାପ କରି 

   ପଡିଗଲେ ଯାଇ ମାଆ ପାଏ |(13)


ଜନନୀକୁ ନିଜ ସଙ୍ଗତରେ ନେଇ

   ସେବା ଯତ୍ନ କଲେ ନିରନ୍ତର

ଜୀବନ୍ତ ଦେବୀର ଆଶିଷ ପ୍ରଭାବେ

    ହସିଲା ସଂସାର ପରିସର |(14)



Rate this content
Log in

Similar oriya poem from Abstract