ମାଆର ମମତା
ମାଆର ମମତା
ମାଆଟିଏ ସିଏ, ମାଆଟିଏ
ରକତ ମାଉଁସ ଶରୀରଧାରିଣୀ,
ଦେବୀଟିଏ ସିଏ ଦେବୀଟିଏ |(0)
ସୀମାହୀନ ତାର ସେନେହ ମମତା
ପାରାବାର ଯହିଁ ମଥା ନୁଏଁ
ବାତ୍ସଲ୍ୟ ରସର ଅମୀୟ ନିର୍ଝର
ମନ୍ଦାକିନୀ ସମ ବହୁଥାଏ |(1)
ତ୍ୟାଗ ତିତିକ୍ଷାର ଅସରା ଭଣ୍ଡାର
ପଣତ ଅଭୟ ଛତାଟିଏ
ତା କୋଳ ବୈକୁଣ୍ଠ ପଦରଜ ତୀର୍ଥ
ଯହିଁ ଚାରିଧାମ ରହିଥାଏ |(2)
ସହନେ ଧରିତ୍ରୀ ଜ୍ଞାନରେ ଗାୟତ୍ରୀ
ସେବାର ଅମରାବତୀ ସିଏ
ସନ୍ତାନ ପାଇଁକି ରକ୍ତ ନିଗାଡ଼ିକି
କେତେ ସେ ସପନ ଦେଖୁଥାଏ |(3)
ଦଶ ମାସ ଦଶ ଦିନ ଗର୍ଭେ ଧରି
ପ୍ରସୂତି ବେଦନା ସହିଥାଏ
ସ୍ତନ ଭାଙ୍ଗି କ୍ଷୀର ଦାନେ ସନ୍ତାନର
କଳେବର ବୃଦ୍ଧି କରିଥାଏ |(4)
କୋଳେଇ କାଖେଇ ଖୁଆଇ ପିଆଇ
କେତେସେବା ଯତ୍ନ କରୁଥାଏ
ପୁଅର ଆଖିରୁ ଲୁହ ଝରିଗଲେ
ତା ଦେହୁ ରକତ ବୋହୁଥାଏ |(5)
ନିଜେ ଜଳି ଜଳି ସନ୍ତାନ ମୁହଁରେ
ଖୁସିର ଲହରୀ ଦେଖୁଥାଏ
ପେଟୁ କାଟିକୁଟି ମରେ ଖଟିଖଟି
ପୁଅର ଜୀବନ ଗଢ଼ିନିଏ |(6)
ପାଠ ପଢ଼ି ପୁଅ ଚାକିରୀ କରିଲା
ମାଆର ଆନନ୍ଦ ଦେଖେ କିଏ
ବାଛି ବାଛି ଭଲ ବୋହୂଟିଏ ଆଣେ
ଗୋଟିଏ ଚାଉଳେ ଗଢ଼ା ସିଏ |(7)
ଦିନ କେଇଟାରେ ସବୁ ବିପରୀତ
ବୋହୂ ବୋଲକରା ପୁଅ ହୁଏ
ଏକୁଟିଆ ଛାଡ଼ି ମାଆକୁ ଗାଆଁରେ
ଆରାମେ ସହରେ ଯାଇ ରୁହେ |(8)
ମାଆ ଭଲମନ୍ଦ ଜମାରୁ ବୁଝେନା
ମାଆ କଥା ପୂରା ଭୁଲି ଯାଏ
ଅସରା ଅସରା ଲୁହ ତ ଅସରା
ଦିନରାତି ମାଆ ଝୁରୁଥାଏ |(9)
ପୁଅର କାଳେ କି ଅମଙ୍ଗଳ ହେବ
ଆଖି ଲୁହ ଓଠେ ପିଇ ଦିଏ
ଅନ୍ତର କୋହକୁ ଛାତିତଳେ ଚାପି
ସକଳ ବେଦନା ସହି ନିଏ |(10)
ବର୍ଷେ ପରେ ପୁଅ ଘରକୁ ଆସିଲା
ଦେଖିଦେଲା ମାଆ ଶଯ୍ୟାଶାୟୀ
ପୁଅ ପୁଅ ବୋଲି ଆକୁଳ ହେଉଛି
ମାଆ ନିକଟକୁ ଗଲା ଧାଇଁ |(11)
ପୁଅର ମଥାକୁ ଆଉଁସି ସରାଗେ
କେତେ ଆଶୀର୍ବାଦ ବରଷିଲା
ବିଗତ ଦୁଃଖକୁ କାହିଁ ଭୁଲିଗଲା
ମୁଖରେ ତା ହସ ଫୁଟୁଥିଲା |(12)
ଏଇତ ମାଆର ବିଶାଳ ହୃଦୟ
ଧରା ଆକାଶକୁ ଲଙ୍ଘିଯାଏ
ପୁଅ ବୋହୂ ଦୁହେଁ ଅନୁତାପ କରି
ପଡିଗଲେ ଯାଇ ମାଆ ପାଏ |(13)
ଜନନୀକୁ ନିଜ ସଙ୍ଗତରେ ନେଇ
ସେବା ଯତ୍ନ କଲେ ନିରନ୍ତର
ଜୀବନ୍ତ ଦେବୀର ଆଶିଷ ପ୍ରଭାବେ
ହସିଲା ସଂସାର ପରିସର |(14)
