ସମ୍ପର୍କର ନଈ ତୀରେ
ସମ୍ପର୍କର ନଈ ତୀରେ
ସମ୍ପର୍କର ମାନେ କିଛି ନାହିଁ
ସମ୍ପର୍କ ଏକ ନଦୀର ସ୍ରୋତ
ସ୍ନେହ ପ୍ରେମ ଭାବ ଆଉ ଭକ୍ତିର
ଚିରନ୍ତନ ଏକ କୁଳୁକୁଳୁ ନାଦ।
ଏଇ ସମ୍ପର୍କ କେବେ ସୁତାର ଖିଅ
ବାନ୍ଧିରଖେ ପ୍ରେମ ବନ୍ଧନରେ
ଅତୀତର ସବୁ କର୍ମର ପରିଣତି
କର୍ତ୍ତବ୍ୟ ସମ୍ପର୍କ ଭବିଷ୍ୟତର।
କେବେ ଘୃଣା କେବେ ନିନ୍ଦା
ଆଉ କେବେ କେବେ ଅପମାନ
ସମ୍ପର୍କକୁ ଭଙ୍ଗିଦେଇଯାଏ
ଏକାକୀ ଆନମନା ଝଡ଼ ସାଜି।
ସମ୍ପର୍କ ପ୍ରେମର ସୂତା ଖିଅର
ଅସଜଡା କାମ ସମୟର
ଅତୀତ ଭବିଷ୍ୟତ ସବୁ ଭୁଲିଯାଇ
ଭୁଲ ଏଇ ଖାଲି ବର୍ତ୍ତମାନର।
ଜନ୍ମ ଆଉ ମୃତ୍ୟୁ ଜୀବନରେ
ନଦୀର ସେଇ ଦୁଇ ଧାରା ପରି
ସମୟ ସହ ଗଢ଼ିଚାଲେ କେତେ ସମ୍ପର୍କ
ପ୍ରେମର ସୂତାରେ ଗୁନ୍ଥିଚାଲେ ନୂଆ ହୃଦୟ।
