ସନ୍ତାନ
ସନ୍ତାନ
ମାଆର କୋଳଟା ମଣ୍ଡିତ ହୁଅଇ
ଦେଖଇ ଯେବେସେ ସନ୍ତାନ ମୁଖ
ସନ୍ତାନର ମୁଖ ଦେଖୁ ଦେଖୁ ସିଏ
ଭୁଲିଯାଏ ଗର୍ଭ ଯନ୍ତ୍ରଣା ଦୁଃଖ ।
ଦଶମାସ ଦଶଦିନ ଗର୍ଭେ ଧରି
ଜନ୍ମ ଦେଇଥାଏ ଯାହାକୁ ସିଏ
ସେହି ସନ୍ତାନର ମନ ବୁଝିପାରି
ଅନ୍ତଚିରି କ୍ଷୀର ପିଆଇଥାଏ ।
ସେ ପିଲା ମୁଖରେ ଦରୁଟି କଣ୍ଠରେ
ମାଆ ମାଆ ଯେବେ ଡାକଇ ଧିରେ
ମମତାମୟୀ ସେ ମାଆର ମନଟା
ଆନନ୍ଦେ ଉଡ଼ଇ ସରଗପୁରେ ।
ଟିକେ ବଡ଼ ହେଲେ ଗୁରୁଣ୍ଡି ଚାଲିଲେ
କଡ଼େ କଡ଼େ ମାଆ ଜଗିଣ ଥାଏ
ପିଲାଟି ଯେମିତି ନଜରରୁ ତାର
ବାହାରକୁ କେଣେ ଚାଲିନଯାଏ ।
କେବେସେ କବାଟ କେବେ ଘର କାନ୍ଥ
ଧରି ଧିରେ ଯେବେ ଚାଲିବା ଶିଖେ
ଯେଉଁଠି ଥିଲେବି ମାଆର ନଜର
ସବୁବେଳେ ଥାଏ ତା ପିଲା ପାଖେ ।
ଏମିତିରେ କିଛି ବର୍ଷ ବିତିଯାଏ
ହୁଏ ସେ ପିଲାର ପଢ଼ିବା ବେଳ
ବିଦ୍ୟାଳୟ ଗଲେ କି
ଛି କ୍ଷଣପାଇଁ
ଖାଲି ଖାଲି ଲାଗେ ମାଆର କୋଳ ।
କାଲି ଖେଳୁଥିଲା ବାପା ମାଆ ସାଥେ
ଗୁଗୁପାଞ୍ଚି ଆଉ ହେଇତା ଖେଳ
ଆଜିସେ ଖେଳୁଛି ସାଙ୍ଗ ସାଥି ମେଳେ
ଲୁଚକାଳି ଆଉ ସଢ଼େଇ ଖେଳ ।
ସେହି ପୁଅ ଦିନେ ବଡ଼ ହୁଏ ଯେବେ
ବାପା ମାଆଙ୍କୁ ସେ ଦିଏ ପାସୋରି
ନିଜ ଖୁସିପାଇଁ ଭାରିଯାକୁ ନେଇ
ଗାଆଁ ଛାଡ଼ି ସିଏ ହୁଏ ସହରୀ ।
ବାପା ମାଆ ଯଦି ପଚାରନ୍ତି କେବେ
ବୋହୁକୁ ନେଇ ତୁ ଆସିବୁ କେବେ
ପୁଅ ଦିଏ ସେହି ଗୋଟିଏ ଉତ୍ତର
ଚାକିରୀରେ ବ୍ୟସ୍ତ ରହୁଛି ଏବେ ।
ଚାକିରୀ ଛାଡ଼ିକି ଗାଁକୁ ଯିବାକୁ
ମୋ ପାଖରେ ଏବେ ସମୟ ନାହିଁ
ଅତୀତକୁ ଭୁଲି ଅତି ସହଜରେ
ଏହିକଥା ପୁଅ ପାରୁଛି କହି ।
ଧନ୍ୟହେ ସନ୍ତାନ ଧନ୍ୟ ତୋର ଜ୍ଞାନ
ପାଠପଢ଼ି ସିନା ଚାକିରୀ କଲୁ
ପାଶ୍ଚାତ୍ୟ ଚଳଣି ଘୋଡ଼ଣି ଭିତରେ
ମଣିଷପଣିଆ ସବୁ ସାଇଲୁ ।