ସଂସାରେ ସନ୍ତାନ
ସଂସାରେ ସନ୍ତାନ
ଯାହା ଆଗମନେ ସାରା ପରିବାରେ
ଆନନ୍ଦ ଲହରୀ ଖେଳେ
ଏନ୍ତୁଡ଼ି ଶାଳରେ କୁଆଁ କୁଆଁ ରାବ
ସବୁ ଓଠେ ହସ ଢାଳେ |
ମାଆର ଯନ୍ତ୍ରଣା ସରେ ମୁହୂର୍ତ୍ତକେ
ସନ୍ତାନର କାନ୍ଦ ଶୁଣି
ସତେ କି ହାତରେ ଖସି ପଡିଛି କି
ସରଗର ଚନ୍ଦ୍ରମଣି |
ସନ୍ତାନ ପାଇଁ ଯେ ଆଶାର ସଉଧ
ତୋଳିଥାନ୍ତି ପିତାମାତା
ଝିଅ ଅବା ପୁଅ ଯାହା ହେଉ ପଛେ
ହେବ ସେ ଜଗତ ଜିତା |
ଦୁଃଖୀ ଏକା ସେହି ଯାହାର କୋଳରେ
ସନ୍ତାନଟେ ଆସେନାହିଁ
ଦୁନିଆ ବୁକୁରେ ହୁଏ ହୀନିମାନୀ
ଯନ୍ତ୍ରଣା ତା ସରେନାହିଁ |
କେତେ ଠାକୁରଙ୍କୁ ପୂଜା ବାଢିଥାଏ
ସନ୍ତାନ ଲଭିବା ପାଇଁ
ପ୍ରଭୁଙ୍କ ଆଶୀଷ ମିଳେନା ତ ତାକୁ
ରହିଯାଏ ବନ୍ଧ୍ୟା ହୋଇ |
ସାର୍ଥକ ହୁଅଇ ଦାମ୍ପତ୍ୟ ଜୀବନ
ଯେବେ ପିଲା କୋଳେ ଆସେ
ସେଇ ଭବିଷ୍ୟତ ଅନ୍ଧାରେ ଆଲୋକ
ହୋଇ ଚଲା ପଥେ ଭାସେ |
ଦୁନିଆ ଦାଣ୍ଡରେ ବାଟ ଚାଲିବାକୁ
ଯାହା ଲୋଡ଼ା ସନ୍ତାନର
ସବୁ ଦେଇଥାନ୍ତି ଜନକ ଜନନୀ
ପଡୁ ଯେତେ ଦୁଃଖଭାର |
ସୃଷ୍ଟିର ନିୟମ ନାରୀ ଓ ପୁରୁଷ
ସନ୍ତାନର ସୃଷ୍ଟିପାଇଁ
ହୋଇଥାନ୍ତି ପ୍ରୀତି ବନ୍ଧନରେ ବନ୍ଧା
ଜଗତ ବଞ୍ଚିବା ପାଇଁ |
ଜଗତ ଚାଲଇ ସମସ୍ତଙ୍କୁ ନେଇ
ମମତାରେ ସିକ୍ତ ହୋଇ
ବିଭୂ ସର୍ଜନାର ଚିରନ୍ତନ ରୀତି
କେବେ ତ୍ରୁଟି ହେବ ନାହିଁ |
