ସଂସାର
ସଂସାର
ଏଇତ ସଂସାର ତୁମରି ସର୍ଜନା
ହସ ଲୁହେ ଭରା ଥାଏ
କେତେବେଳେ ସିଏ ଖୁସିରେ ନାଚର
କେବେ ଲୁହରେ ଭିଜାଏ ।
ଆଖି ତ ପାଏନା ଏ ବିଶାଳ ସୃଷ୍ଟି
ଦେଖି ଲାଗେ ଆଶ୍ଚମ୍ବିତ
ଗିରି ବନ ଡେଇଁ କଳ କଳ ନାଦେ
ସ୍ରୋତସ୍ବନୀ ପ୍ରବାହିତ ।
ଜଳ, ସ୍ଥଳ, ବାୟୁ, ଆକାଶ ପୃଥିବୀ
କି ସୁନ୍ଦର ସୃଷ୍ଟି ଇଏ
କେତେ ଜୀବଜନ୍ତୁ ଜୀବନ ଶୈଳୀ ବି
ଭିନ୍ନ ଭିନ୍ନ ହେଇଥାଏ ।
ପଶୁ ପକ୍ଷୀ, କୀଟ ପତଙ୍ଗ, ମାନବ
ସୂର୍ଯ୍ୟ, ଚନ୍ଦ୍ର ଆତ ଯାତ
ସବୁଜ ଶ୍ୟମଳ ସୌନ୍ଦର୍ଯ୍ଯ ସୁଷମା
ବିଚିତ୍ର ଲାଗେ ଜଗତ ।
ସଂସାରଟା ସତେ ଏମିତି ଟୋଟାଏ
ଥଳ କୂଳ ତାର ନାହିଁ
ଯୁଆଡେ ଚାହିଁବ ସିଆଡେ ଦେଖିବ
ରହସ୍ୟର ଖଣି ଏହି ।
ଏଇ ସଂସାରରେ ପାପ ପୁଣ୍ୟ ଥାଏ
ଲୋଭ ମୋହେ ଥାନ୍ତି ପଡି
ବିପଦ ଆପଦ ଝଡ ଝଞ୍ଜା କେତେ
ଜୀବନରେ ଆସେ ମାଡି ।
ବିନିତାଙ୍କ ସୃଷ୍ଟି ନାରୀ ଏ ପୁରୁଷ
କରନ୍ତି ଘର ସଂସାର
ସ୍ନେହ ମମତାର ନିର୍ଝରିଣୀ ଝରେ
ହସୁଥାଏ ପରିବାର ।
କେତେବେଳେ ପୁଣି ମତାନ୍ତର ଥାଏ
ରାଗ, ଈର୍ଷା, ଅଭିମାନ
ତାହାରି ଭିତରେ ବୁଝାମଣା ଭାବେ
ହସୁଥାଏ ତ ଜୀବନ ।
ଜନ୍ମ ହେଇଥାଏ ଏଇତ ସଂସାରେ
ମରଣ ବି ଏଠି ଥାଏ
ମଶାଣୀ ଭୂଇଁର ମୁଠାଏ ପାଉଁଶ
ସଂସାର ମାନେ ବୁଝାଏ ।
ମିଛ ମାୟା ଭରା ଏଇତ ସଂସାର
ନୁହଁନ୍ତି କେହି କାହାର
ପିଣ୍ଡରୁ ପରାଣ ଛାଡି ଗଲା ପରେ
ସମସ୍ତେ ହୁଅନ୍ତି ଦୂର ।
ସଂସାରଟା ଅଟେ ଦୁଃଖ ସୁଖ ନଈ
ଇଏ ଅଟେ କ୍ଷଣସ୍ଥାୟୀ
ଶେଷ ନିଃଶ୍ବାସଟି ବନ୍ଦ ହେଇଗଲେ
ହୁଏ ସିଏ ଧରାଶାୟୀ ।
ଏବେତ ଚାଲିଛି ସ୍ୱାର୍ଥର ସଂସାର
ସ୍ବାର୍ଥରେ ସମସ୍ତେ ବାଇ
ସଂସାରଟା ଚାଲେ ପ୍ରହସନ ଭରା
ସାକ୍ଷୀ ତା ମଶାଣୀ ଭୂଇଁ ।