STORYMIRROR

Shashanka sekhar Ray

Abstract

3  

Shashanka sekhar Ray

Abstract

ସଂସାର

ସଂସାର

1 min
11.5K

ଏକା ଏକା ଅନେକ ଥର ଚେଷ୍ଟା କରିଛି

ଜୀବନଟାକୁ ଭଲ ଭାବେ ଜିଇଁବି ବୋଲି

ରାଗ ଅଭିମାନ ଇର୍ଷାକୁ ଦେଇ ଜଳାଞ୍ଜଳୀ

ସଂସାରର ଗଛଡାଳେ ପବନ ସାଥେ

ଫୁଲଟିଏ ହୋଇ ସଦା ହସୁଥିବି ।


କିନ୍ତୁ କାହିଁକି କେଜାଣି 

ହସିବା ଆଗରୁ ଛଡାଇନିଏ କିଏ 

ମୁଖେ ଦୁଃଖର ଜହର ବୋଳି

କୁହେ ହସିବାଟା ଆଦୌ ଭଲ ନୁହେଁ

ଏଠି ହସ ଯେତିକି ଲୁହ ବି ସେତିକି

ରହି ରହି ପାଦ ଆଗକୁ ବଢାଅ ।


ରାତି ପାହିଲେ ହାଟର ଭିଡେ ହଜୁଥାଏ ମନ

ତେଲ ହଳଦୀ ଲୁଣ ଡାଲି ଶସ୍ୟର ସନ୍ଧାନେ

ନିଜେ ବଞ୍ଚି ବଞ୍ଚାଇବାକୁ ହେବ ଆଉ କାହାକୁ 

ପିଠିରେ ଅନେକ ଦରଜକୁ ନାଉ କରି

ପକେଟରୁ ଅଣ୍ଡାଳୁଥାଏ କିଛି ଖୁଚୁରା ପଇସା

କିଣିବାକୁ ଲୋଭ ଥିଲେ ବି

କିଏ ଯେମିତି ମନାକରେ ଭିତରୁ

ଆଜିଦିନଟି ଏତିକିରେ ଚଳେଇଦିଏ

ବଞ୍ଚିରହିବାକୁ ହେବ ପରା କାଲିକୁ ।


ସଂସାରର ଚକ୍ରବ୍ୟୁହରେ ଥରେ ପଶିଗଲେ

ମୁକୁଳିବାର ଆଉ ବାଟ ମିଳେନି

ସପ୍ରରଥୀମାନେ ଚାରିପଟେ ଘେରିଯାନ୍ତି

ଯୁଦ୍ଧର କଳା ମୁଁ ଅସହାୟ ଅଭିମନ୍ୟୁ ଭଳି

ବାରମ୍ଵାର ଜାଣିଶୁଣି ଭୁଲିବାର ଅଭିନୟ କରେ ।


କି ସମ୍ମୋହନ ଥାଏ କେଜାଣି

ଚିରା ଫଟା ସାର୍ଟ ପ୍ୟାଣ୍ଟ ଜୋତାକୁ 

ପିନ୍ଧୁଥାଏ ସିଲେଇ କରି ଥରକୁ ଥର

ସଂସାରର ସାରଥୀ ସାଜିଲେ

ବୋଧେ ଏସବୁ ଆପେ ଆପେ ହୋଇଯାଏ

ରାତିଅଧିଆ ଭଙ୍ଗା ସ୍ଵପ୍ନ ମାନଙ୍କୁ ଯୋଡୁ ଯୋଡୁ

ଆଖିର ଆୟୁଷ ସରି ସରି ଯାଏ

ଜୀବନ ଛୁଞ୍ଚିରେ ସୁଖର ସୁତାଟି 

ପଶାଉ ପଶାଉ ହାତ ଆଖି କମ୍ପିଉଠେ

ତଥାପି ସ୍ଵପ୍ନ ରହିଥାଏ ଅଧା ହାତ ପାହାନ୍ରାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract