STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ସଂସାର ସୁନ୍ଦରମୟ

ସଂସାର ସୁନ୍ଦରମୟ

1 min
278

 ଧନ୍ୟ ହେ ଈଶ୍ୱର ସୁନ୍ଦର ସଂସାର

  ଗଢିଛ ଯତନ‌ କରି 

ସବୁ ଖଞ୍ଜିଅଛ ବିଷଠୁଁ ଅମୃତ

  ଲାଗୁଛି ବିଚିତ୍ର ପରି।


ସ୍ଥାବର ଜଙ୍ଗମ କୀଟ ତରୁଲତା

  ସବୁରି କରିଛ ସୃଷ୍ଟି 

ପେଟ ଚାଖଣ୍ଡକ ଭରିବା ପାଇଁକି

  କରମ ଦେଇଛ ବାଣ୍ଟି।


ଫୁଲ ଦେହେ ତୁମେ କୋମଳତା ଦେଇ

  ବାସ ବି ଭରିଦେଇଛ 

ଶ୍ରୀଫଳ ଭିତରେ ସୁମଧୁର ଜଳ

  ଗୁପତେ ତୁମେ ରଖିଛ।


ଆତ୍ମା ହୋଇ ତୁମେ ପ୍ରତି ଶରୀରରେ

  କରୁଛ ବିରାଜମାନ 

ମଣିଷକୁ ଶ୍ରେଷ୍ଠ ପ୍ରାଣୀ ସ୍ଵରୂପରେ

  ଦେଇଛ ବିବେକ‌ ଜ୍ଞାନ। 


ମୁଁ ଏକ ମଣିଷ ତୁମକୁ ଭୁଲିଲି

  ଅହଂକାରେ ବୁଡି ରହି 

ସୁନ୍ଦର ସଂସାରେ ଅସୁନ୍ଦର ବସ୍ତୁ

  ଖୋଜିବାରେ ବ୍ୟସ୍ତ ଥାଇ।


ପରିଷ୍କାର ଦୁଇ ଆଖି ଦେଇଅଛ

  ମୁଁ କିନ୍ତୁ ସଫା ଦେଖୁନି 

କଳା ଚଷମା ମୋ ଆଖିରେ ଲଗେଇ

  ତୁମକୁ ଚିହ୍ନି ପାରୁନି।


ତୁମରି ମଧୁର ସମୀରଣ ସ୍ପର୍ଶ

  ମୋ ଦେହରେ ସିନା ବାଜେ 

ହେଲେ କିନ୍ତୁ ମୁହିଁ ପ୍ରତି ମୁହୂର୍ତ୍ତରେ

  ମାୟା ମୋହେ ଆଜି ହଜେ‌।


ଦିଗଭ୍ରଷ୍ଟ ପଥହରା ନାବିକ ମୁଁ

  ଭାସୁଅଛି ଭବ‌ ଜଳେ 

ଆହତ ମୃଗୁଣୀ ଯେହ୍ନେ କଷ୍ଟପାଏ

  ପଡ଼ି ଯନ୍ତ୍ରଣା ଫାଶରେ‌।


ତୁମ ଅନୁକମ୍ପା ପ୍ରସାଦ ପ୍ରଦାନେ

  ଶରୀର ମୋ ବଞ୍ଚାଇଛ 

କି ଲାଗି ଠାକୁରେ ଏ ଦୀନଦୁଃଖୀକୁ

  ଆଜି ଅନ୍ତର କରୁଛ ?


ଆପଣା ଉପରେ ମତାମତ ଭୁଲି

  ଅନ୍ୟକୁ ସମୀକ୍ଷା କଲି 

ମ‌ଇଳା ଆଖିରେ ପବିତ୍ର ଆତ୍ମାଙ୍କୁ

  କଳଙ୍କର ଆଖ୍ୟା ଦେଲି।


ବ୍ରହ୍ମ ସ୍ଵରୂପରେ ସବୁରି ଶରୀରେ

  ଈଶ୍ୱର ଅଛନ୍ତି ବୋଲି 

ପୁରାଣ ଶାସ୍ତ୍ରରେ ଏହା ଲେଖା ଅଛି

  ଜନମୁଖୁଁ ଶୁଣିଥିଲି।


ଦିବ୍ୟସତ୍ତା ପ୍ରାଣୀ ଦେହେ ଅଛି ବୋଲି

  କୁହନ୍ତି ପଣ୍ଡିତ ଜନେ 

ସୂକ୍ଷ୍ମ ଚେତନାରେ ଦେଖିପାରୁ ନାହିଁ

  ମୁଁ ମୂର୍ଖ ଅଜ୍ଞାନ ପଣେ।


ଟିକେ ପ୍ରେମ ଆଉ ଭଲପାଇବାକୁ

  ବାଣ୍ଟିବାକୁ ଏଠି ପଡେ 

ଜାଣିପାରେ ନାହିଁ କାହିଁକି ହେ ନାଥ

  ଦ୍ଵୈଷ ଭରେ ମୋ ହୃଦରେ !


ତୁମେ ତ କହିଛ ପ୍ରତି ଜୀବ ଯେଣୁ

  ଦିବ୍ୟଜ୍ଞାନ ଅଧିକାରୀ 

କେମିତି ହେ ପ୍ରଭୁ ମୁଁ ଅଧମପଣେ

  ସେ ସବୁ ଦେଲି ପାଶୋରି?


ମାତୃଗର୍ଭ କଥା କିଛି ପ୍ରତିଶ୍ରୁତି

  ଆଜି ମୁଁ ଭୁଲି ଯାଇଛି 

ସେଲାଗି ଠାକୁର ତୁମ ପାଖେ ଆଜି

  ଅପରାଧୀ ସାଜିଅଛି।


ହୃଦୟକୁ ମୋର ପ୍ରସାରି ପାରୁନି

  ହୃଦ ଭାରାକ୍ରାନ୍ତ ଲାଗେ 

କଳ୍ପନା ଅ‌ଇରୀ ଖାଏ ମୋତେ ଝୁଣି

  ମନେ ଅହଂ ଭାବ ଜାଗେ।


ଧନ୍ୟ ହେ ଈଶ୍ୱର ଯାହା କହିଥିଲ

  ଅର୍ଜୁନଙ୍କୁ ଗୀତାସାର 

ସେହି ଅନୁସାରେ ଉଚ୍ଚାରଣ ଆଉ

  ଆଚରଣ ନାହିଁ ମୋର।


ସତ୍ୟ ପଥେ ମୋତେ ନିଅ ହେ ଠାକୁର

  ଜ୍ଞାନ ଚକ୍ଷୁ ଖୋଲି ଦିଅ 

ଅନ୍ୟକୁ ନିଜର କରିବା ଚେତନା

  ମନେ ମୋର ଭରିଦିଅ।


ଲୋଭ ମୋହ ଠାରୁ ଦୂରାଅ ହେ ପ୍ରଭୁ

  ତୁମ ପାଖେ ସ୍ଥାନ ଦିଅ।

ସମାଜ ମଙ୍ଗଳେ‌ ଲେଖନୀକୁ ମୋର

  ଆଗକୁ ଆଗକୁ ନିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy