ସଂସାର ହାଟ
ସଂସାର ହାଟ
ସଂସାର ହାଟରେ ସଭିଏଁ ଗରାଖ
କିଏ ବିକୁଅଛି କିଏ ବା କିଣେ
ଲାଭ କ୍ଷତି ର ହିସାବ ରଖନ୍ତି
ଉପରେ ଅଛନ୍ତି ପ୍ରଭୁ ସେ ଜଣେ l
ଆମ ପାଶେ ଥିବା ସେବା ଗୁଣ କିଛି
ଦେଇଯିବା ଆମେ ଏ ସଂସାରକୁ
ପାଇବା ଯଦିବା ବାହାବାହା କିଛି
ସେ ଆମର ପୁଣ୍ୟ ଶେଷ ବେଳକୁ l
ଅନ୍ୟର ଆଖିରୁ ପୋଛିଥିଲେ ଲୁହ
ପୁଣ୍ୟ ଭାବରେ ହୁଅଇ ଗଣା
ଭୋକିଲା ମୁହଁରେ ଆହାର ପ୍ରଦାନେ
ଖୁସିଟି ତାହାର ପଡଇ ଜଣା l
ଅନ୍ୟମାନଙ୍କର ଭଲ ଗୁଣ ବାଛି
ଶିଖିନିଅ ତାକୁ ଜୀବନ ଥାଇ
କାହାକୁ ଟିକିଏ ପ୍ରଶଂସା ଦେବାକୁ
କେବେହେଲେ ଆମେ ଭୁଲିବା ନାହିଁ l
ଅନ୍ୟକୁ ସମ୍ମାନ ଦେଇଥିଲେ ସିନା
ସମ୍ମାନ ଲାଭର ହୋଇବା ଯୋଗ୍ୟ
ଅସମ୍ମାନ ଯଦି କାହାକୁ କରିବା
ଜିଇଁ ଥାଉ ଥାଉ ନରକ ଭୋଗ l
କରି ଯାଇଥିବା ଯଦି କିଛି ପୁଣ୍ୟ
ଶେଷ ବେଳେ ସିନା ଶୁଣିବା ଆହା
ଅସତ କର୍ମର ପଥ ଧରିଗଲେ
ମରଣ ବେଳକୁ ଗାଳିଟି ଥୁଆ l
ଦୁଃଖୀ ଦରିଦ୍ରଙ୍କ ପାଇଁ ଯଦି କିଛି
କରିଯାଇଥିବା ଭଲ କରମ
ପାପ ପୁଣ୍ୟ ର ବିଚାର କରିବେ
ମରିଗଲା ପରେ ସେ ଭଗବାନ l
ନିଜେ ଖାଇ ପିଇ ଅୟସେ ରହିଲେ
ନୁହେଁ ପଦବାଚ୍ୟ ପୁଣ୍ୟ କର୍ମର
ଅଭାଵୀ ଆଖିରୁ ଲୁହ ପୋଛି ଦେଲେ
ତାହା ହିଁ ତ ହୁଏ ଯୋଗ୍ୟ ବିଚାର l
ଜୀବନଟି ଅଟେ ଅଳୀକ ଆମର
ଦେହଟି ମିଶିବ ନିଶ୍ଚ ମାଟିରେ
ପାପ ପୁଣ୍ୟ ର କରମ ହିଁ ଆମର
ରହିଯିବ ଚିର ସ୍ଥାୟୀ ସଂସାରେ l
ସଂସାର ହାଟରୁ ସଉଦା ସରିଲେ
ନିଶ୍ଚୟ ଆମେ ତ ଯିବା ଯେ ଫେରି
ଦୁଇ ଦିନର ଏ ସଂସାର ହାଟରୁ
ନେଇଯାଅ କିଛି ପୁଣ୍ୟ ଭରି l
