ସଂଳାପ
ସଂଳାପ
କେଉଁ ଏକ ଅସତର୍କ ମୂହୁର୍ତ୍ତ ରେ ତୁମେଆସ ,
କରାଘାତ କରିଥାଅ ଜୀବନର ସିଂହଦ୍ୱାର
ବାରିହୁଏନା...ଜାଣି ହୁଏନା ତୁମ ପାଦଶବ୍ଦ
କେବେ ଆସ ନିସ୍ତବ୍ଧରାତ୍ରୀ ରେ
କେବେ ପୁଣି ପାହାନ୍ତି ପ୍ରହରେ,
ଆଉ କେବେ ଅସ୍ତସୂର୍ଯ୍ୟରେ
ଶେଷ ହୁଏ ଜୀବନ ର ଚଲାପଥ
କିଏ ଚାଲିବାକୁ ଏଇ ମାତ୍ରଆରମ୍ଭ କରିଛି
କିଏ ଚାଲୁ ଚାଲୁ ଥକି ପଡ଼ିଛି ତ,
କିଏ ଚାଲି ଅଛି ଅଧା ବାଟ
ତୁମେ କିନ୍ତୁ ଡାକି ନିଅ ତୁମ
ସାଥେ ବହୁଦୂର ବାଟ
ହାତ ଧରି ନେଇଯାଅ ସେ ଅନନ୍ତପଥେ
ତୁମେ ବୁଝନା ,ଜାଣନା ,ପଚାରନା
ଯିବ କି?? ମୋ ସହିତ, ସେ ମୁକ୍ତି ର ପଥେ
ତୁମ ସାଥେ ଚାଲିଯାଏ ସିଏ,
ଯାହାର ସରିଥାଏ ରଙ୍ଗମଞ୍ଚେ ଅଭିନୟ
ତୁମ ସାଥେ ଚାଲିଯାଏ ସେ ଚରିତ୍ର
ଯାହାର ସେଇ ଦିନ ହୁଏ
ଶେଷ ଅଭିନୟ, ଶେଷ ରାତ୍ର,
ରଙ୍ଗମଞ୍ଚ ର ରଙ୍ଗୀନ ଆଲୋକ ରେ,
ତା ସହ ଅଭିନୟରେ ମଗ୍ନ ଚରିତ୍ର ମାନେ
ଇତଃସ୍ତତଃ ହୋଇଯାନ୍ତି,
ସ୍ଥାନ କାଳ ପାତ୍ର ସବୁ
ପରିବର୍ତ୍ତିତ ହୋଇଯାନ୍ତି,
ପରିବର୍ତ୍ତନ କରିବାକୁ ହୁଏ ପୁଣି ଥରେ
ସଂଳାପ ସବୁ ଲେଖିବା ପାଇଁ ହୁଏ
ନୁଆ କରି ,ପୁଣି ସଜାଡ଼ି ବାକୁ ପଡେ
ନିଜ ନିଜର ପରିପାଟିକୁ ,ଚରିତ୍ରକୁ
ସଂଳାପ ଲେଖିବାକୁ ହୁଏ, ନୁଆ ରୂପରେ
ମୁହଁ ରେ ଛଳନାର ରଙ୍ଗ ମାଖି
ଦୁଃଖ ର ଜୁଆର କୁ ସାମ୍ନା କରି
ହେଲେ ସେ ସ୍ଥାନ ଟି ଶୂନ୍ୟ ରହିଯାଏ
ତାର ସେ ଶୂନ୍ୟ ସ୍ଥାନ କୁ ପୂର୍ଣ୍ଣ କରିବାକୁ
ଚରିତ୍ର ନ ଥାନ୍ତି, ସଂଳାପ ସବୁ ପବନରେ
ପିଟି ହୋଇ ପ୍ରତିଧ୍ବନିତ ହୋଇଥାନ୍ତି
କେବଳ ସେଇ ମାନେ ଶୁଣୁଥାନ୍ତି
ଯେଉଁ ମାନେ ତାକୁ ମନରେ ସାଇତି ଥାନ୍ତି
ମଞ୍ଚ ଉପରେ ଥିବା ଯାଏ
