ଶୀତର ଚିତ୍ର
ଶୀତର ଚିତ୍ର
ଶୀତ ର ସୁନ୍ଦର ଚିତ୍ର କିଏ ଆଙ୍କେ
କେ ହୁଏ ଶୀତେ ବିବଶ,
କାହାର ହୁଅଇ ପୁଷମାସ ଏଠି।
କାହାର ତ ସର୍ବନାଶ।
ଶୀତ ଆସେ କାର ନରମ ଶେଜରେ
ମୁଲାୟମ ତୁଳିତଳ୍ପେ
ଆଉ କାହା ଶୀତ ଉହ୍ମେଇ ନିଆଁରେ
କେରପାଲୁ ଘୋଡ଼ା ଛାତରେ।
ଆର ସନର ସେ ମସିହା କମ୍ବଳ
ପାଉନି ଦୁଇ ପ୍ରାଣୀଙ୍କୁ
ଏବର୍ଷ ଆଣିଛି କିଣି ନୂଆ କିଏ
ପୁରୁଣା ଲାଗୁଛି ଗରୁ
ନଭଶ୍ଚୁମ୍ଭି ଅଟ୍ଟାଳିକା ଗଢି ଗଢି
ଦେହ ହୋଇଛି ପଥର
ଶୀତ କି ବାଧୁଛି ସେଇ ଶରୀରକୁ
ଉଷୁମ ରକ୍ତ ତାଙ୍କର।
ଶୀତ ତ ଡ଼ରାଏ କୋମଳଅଙ୍ଗରେ
କ୍ଷୀର ସର ଖିଆ ଦେହେ।
ଡରି ଯାଏ ଶୀତ ଲୁହା ଶରୀରକୁ
ନୂଆଁଣିଆ ଚାଳ ତଳେ।
>ହଜେନା ଶୀତର କାଉଁରୀ ପରଶେ
ଗରୀବ ଲୋକର ନିଦ।
କୋଟିପତି ଶୁଏ ଗହମ ନିଦରେ
ଶୀତ ସଙ୍ଗେବସି ମିତ।
ଚାଷୀ ପୁଅ ବସେ ହିଡମୁଣ୍ଡେ ଜଗି
ବାଧେନା ରାତି କାକର।
କାଟିବ ଫସଲ କରିବ ଅମଳ
ଦେହରେ ଅମାପ ବଳ।
ଗଣ୍ଠି ଧନ କା'ର ଗଳା ମାଳି କା'ର
ରହୁଛି ବିଦେଶେ ଯାଇ।
ଶୀତେ ଖୋଜୁଥିବ ମା'ର ପଣତ
ଉଷୁମ ସରାଗ ଯହିଁ।
ଶୀତ କାହାପାଇଁ ଚିତ୍ରିତ ଚରିତ୍ର
କା ପାଇଁ ଅଦେଖା ଚିନ୍ତା
କିଏ ଗାଏ ବସି ଶୀତ ର ଗଜଲ
କାହାର ଅକୁହା ବ୍ୟଥା।
କିଏ ହୁଏ କବି,ଶୀତର ରୂପରେ
କିଏ ହୁଏ ଚିତ୍ରକର.
ଶୀତ ଦିନ କାର ହୁଏ କି ନିଜର
ଲେଉଟାଣି ହେଲେ ବେଳ ?