STORYMIRROR

Krushnapriya Mohapatra

Classics Fantasy Others

3  

Krushnapriya Mohapatra

Classics Fantasy Others

ଶ୍ରୀ ସାକ୍ଷୀଗୋପାଳ

ଶ୍ରୀ ସାକ୍ଷୀଗୋପାଳ

2 mins
193

ସାକ୍ଷୀ ହୋଇ ଭକ୍ତ ପାଇଁ ଆସିଲ ଉତ୍କଳ

ରହିଲ ସେ ରମ୍ୟ ସ୍ଥାନେ ଶ୍ରୀ ସାକ୍ଷୀଗୋପାଳ

ଛୁରୀଅନା,ଆମ୍ରବୃକ୍ଷ ବକୁଳ କାନନ

ପ୍ରକୃତି ରଚିଛି ତହିଁ ଗୋପ୍ୟ ବୃନ୍ଦାବନ।

ଦିବ୍ୟ ମୂର୍ତ୍ତୀ ଶୋଭାବନ କୃଷ୍ଣ କଳେବର

ସନ୍ଦର୍ଶନେ ତୁଟେ ଭବ ମାୟାର ଜଞ୍ଜାଳ।

ଯୁଗେ ଯୁଗେ ପ୍ରସିଦ୍ଧ ସେ ପ୍ରଭୁ ଆଦିମୂଳ

ଦିଅନ୍ତି ମୁକ୍ତି ଭକ୍ତକୁ ସେ ସାକ୍ଷୀ ଗୋପାଳ।

ଶାଶ୍ୱତ ପ୍ରେମର ପରାକାଷ୍ଠା ପ୍ରେମମୟୀ

ନ ଥିଲେ ପାର୍ଶ୍ୱ ଦେଶରେ ସେହି ମାନମୟୀ

ହୃଦୟେଶ୍ୱରୀ ଅଟନ୍ତି ସେ ରାଇ କିଶୋରୀ

ତାଙ୍କ ବିନା ହେଲେ ପ୍ରଭୁ ବିରହ ରେ ଘାରି

ସେ ସମୟେ ଠାକୁର ଙ୍କ ବଡ଼ପଣ୍ଡା ଥିଲେ

କନ୍ୟା ଏ ତାଙ୍କର ପତ୍ନୀ ଉଦରୁ ଜନ୍ମିଲେ

ଲକ୍ଷ୍ମୀଙ୍କ ଅଂଶେ ସେକନ୍ୟା ହୋଇଲେ ସଂମ୍ଭୁତା

ନାମ ଦେଲେ ପିତା ଲକ୍ଷ୍ମୀ ସେ ଜଗତମାତା

କିଶୋରୀ ସେ କନ୍ୟା ଭକ୍ତିଭରା ମନପ୍ରାଣେ

ପୂଜା କରେ ଅତି ପ୍ରେମେ ଜାଣି ଭଗବାନେ।

ଜାଣନ୍ତି ପ୍ରଭୁ ତାହାଙ୍କୁ ସେହି ପରା ରାଇ

ଆଲ୍ଲାଦିନୀ ଶକ୍ତି ତାଙ୍କ ସେ ଯେ ଭାଵମୟୀ।

ପ୍ରେମ ପରାକାଷ୍ଠା ବଳେ ହୋଇ ସେ ଆକୃଷ୍ଟ

ଗମନ କରନ୍ତି ରାତ୍ରେ ଲକ୍ଷ୍ମୀ ସନ୍ନିକଟ।

ହଜିଲା ଶ୍ରୀ ହସ୍ତୁ ଯେବେ ସୁବର୍ଣ୍ଣ ବଇଁଶି

ମିଳିଲା ଲକ୍ଷ୍ମୀଙ୍କ ଶଯ୍ୟାପରେ ସେହୁ ଆସି।

ଚୋରି ଅପବାଦ ହେବ ଜାଣି ଭକତର

ରହସ୍ୟ ଖୋଲି କହିଲେ ଯାଏ ମୁଁ ରାତ୍ରର

ନିତି ରାତ୍ର ପହୁଡ଼ ପଡ଼ନ୍ତେ ମନ୍ଦିରରେ

ବଡ଼ପଣ୍ଡା କନ୍ୟା ସୁଲକ୍ଷଣା ପ୍ରେମଭରେ

ବିତାଏ ମୁଁ ଲକ୍ଷ୍ମୀ ସହ ଆନନ୍ଦେ ଶର୍ବରୀ

ସୂର୍ଯ୍ୟ ଉଦୟ ହୁଅନ୍ତେ ଆସେ ମୁଁ ଯେ ଫେରି।

ବୃଷଭାନୁ ସୁତା ବିନା ବିରହ ଅଧୀର।

ମୂର୍ତ୍ତୀ ଏକ ଗଢି ରଖ ସନ୍ନିକଟେ ମୋର

ସ୍ବପ୍ନା ଦେଶ ଶୁଣି ବଡ଼ ପଣ୍ଡା ହୋଇ ତ୍ୱରା

ଗଢିଲେ ଶ୍ରୀ ରାଧା ତୁଲ୍ୟ ମୂର୍ତ୍ତି ଏକ ପରା।

ଯେତେ ବେଳେ ମୂର୍ତି ଗଢ଼ା ହୋଇଲା ପ୍ରାରମ୍ଭ 

ଅସୁସ୍ଥ ହୋଇଲା ଲକ୍ଷ୍ମୀଙ୍କର ଯେ ଶ୍ରୀଅଙ୍ଗ।

ଯେ ଦିନ ହୋଇଲେ ମୂର୍ତ୍ତି ମନ୍ଦିରେ ସ୍ଥାପିତା

ସେହିଦିନ ଲକ୍ଷ୍ମୀକଲେ ଦେହ ବିସର୍ଜିତା

ଦେହ ଛାଡ଼ି ସେ ବିଦେହି ରହିଲେ ଶ୍ରୀ ଅଙ୍ଗେ

ମୂର୍ତ୍ତି ରୂପେ ପୂଜା ପାଇଁ ଶ୍ରୀ ଗୋପାଳ ସଙ୍ଗେ।

ଅଁଳା ନବମୀ ତାଙ୍କ ଜନ୍ମଦିବସରେ

ପାଳିତ ହୁଏ ଶ୍ରୀ ରାଧା ପାଦଦର୍ଶନରେ।

ରାଧାରାଣୀଙ୍କ ପୟର ଭକ୍ତଙ୍କୁ ଦିଶେନା

ଯେଣୁ ତାଙ୍କ ବସ୍ର ଲୁଚେ ସେଯେ ଗୋପାଙ୍ଗନା।

ଅଁଳାନବମୀ ଦିନ ଓଡ଼ି଼ଆଣୀ ବେଶେ

ପିନ୍ଧନ୍ତି ବସନ ରାଇ କାଛେଣୀ ମାରି ସେ।

ଏହି ଦିବସରେ କରି ଶ୍ରୀପାଦ ଦର୍ଶନ

ଭକ୍ତ ଜନ ଙ୍କ ପବିତ୍ର ହୁଅଇ ନୟନ।

ଶାଶ୍ୱତ ପ୍ରେମ ସ୍ୱରୁପା ସେ ଶ୍ୟାମ ସଙ୍ଗିନୀ

ବରିଲେ ଏକାନ୍ତ ବାସ ସେ ଅଭିମାନିନୀ               

ମାନ ଭଞ୍ଜନକରିବା ଅଭିପ୍ରାୟେ ପ୍ରଭୁ

ଶ୍ରୀ ପୟର ଧରି କ୍ଷମା ମାଗିଥିଲେ ଯହୁଁ

ସେହି ପଦ୍ମ ପାଦେ ମୋର କୋଟି ନମସ୍କାର

ଭବ ସାଗରୁ ଉଦ୍ଧର ରାଧା ଦାମୋଦର।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics