ସଂଘର୍ଷମୟ ଜୀବନ
ସଂଘର୍ଷମୟ ଜୀବନ
ସମୟ ସ୍ରୋତରେ ଚଳେ ଜୀବନ ଜୀବିକା
କେଉଁଠି ତା ତୀବ୍ର ଗତି କେଉଁଠି ଯେ ଧକ୍କା
କର୍ମମୟ ସଂସାରରେ ଘାତ ପ୍ରତିଘାତ
ଜୀବନ ଯାନଟି ଚଳେ ନିତ୍ୟ ଅବିରତ ।
ଧିରେ ଧିରେ ବଳ ତାର ହେଉ ଥାଏ କ୍ଷୀଣ
ଯେସନେ ବିନା ଅର୍ଗଳେ ପହିଆର ସ୍ଥାନ ।
ଏହି ରୂପେ କର୍ତ୍ତବ୍ୟର ଜଞ୍ଜିରର ବେଡି
ମାୟାଜାଲ ପରି ଥାଏ ହାତ ପାଦେ ପଡି ।
ଭବିଷ୍ୟ ଚିନ୍ତା ନକରି କରି ଗଲି କର୍ମ
ଯେହ୍ନେ ମଧୁ ମାଛି ସଂଚେ ପର ପାଇଁ ଧନ ।
ଆପଣା ସ୍ୱାର୍ଥରେ ସର୍ବେ ହୋଇ ବଶୀଭୂତ
ଏକ ଏକ କରି ମୋତେ କରି ଗଲେ ତ୍ୟକ୍ତ ।
ଯେଉଁ ହାତ ଦିନେ ସୁଖେ ବାଣ୍ଟୁ ଥିଲା ଅନ୍ନ
ବିନା ସାହାରାରେ ଆଜି କରେ ସେ କ୍ରନ୍ଦନ ।
ବିବେକ ଫାନ୍ଦରେ ପଡ଼ି ନବୋଲଇ ମୁଖେ
ରହି ଥାଏ ରହସ୍ୟରେ ମୋର ଘରେ ସୁଖେ ।
ଅବହେଳା କରି ଯଦି କିଏ ପାଏ ଶାନ୍ତି
ଈଶ୍ୱର କରନ୍ତୁ ତାର ବଢୁ ଥାଉ ଦୀପ୍ତି ।
ସଂଘର୍ଷମୟ ଜୀବନ ଶିକ୍ଷା ଦିଏ ଭରି
ପରିଚୟ କରାଏ ସେ ମିତ୍ରତା ବଇରି ।
ଦିବା ନିଶି ଚନ୍ଦ୍ର ସୂର୍ଯ୍ୟ ମୋ ଘରେ ବରଷି
ଶୀତ ତାପେ ଖୁସି ଦେଇ ଢାଳୁ ଥାନ୍ତି ଖୁସି ।
ସଂଘର୍ଷମୟ ଜୀବନେ ନାହିଁ ମୋର ଡର
ଦୁଃଖକୁ କରିଛି ମୁହିଁ ଗଳା ରତ୍ନ ହାର ।
ହୃଦୟ ଚଟାଣପରେ ଲେଖିଛି ମୁଁ ଗାଥା
କେହି ନଶୁଣନ୍ତୁ ପଛେ ଶୁଣେ ମୋ ବିଧାତା।
