ସନ୍ଧ୍ୟା
ସନ୍ଧ୍ୟା
ସନ୍ଧ୍ୟାଗୋ ତୁମେ ନଇଁ ଆସ ଯେବେ
ଗୋଧୂଳି ଗାଲିଚା ପରେ,
ପଶ୍ଚିମଆକାଶେ ଜନ୍ମ ଯନ୍ତ୍ରଣାର
ସତେକି ରକତ ଝରେ ।
ଧୀରେ ଉଇଁଆସେ ତୁମ ସାଥେ ସାଥେ
ହସି ହସି ସନ୍ଧ୍ୟାତାରା,
ସିଏ କି ତୁମର ମଥାର ସିନ୍ଦୁର
ସିମନ୍ତିନୀ ତୁମେ ପରା ।
ପକ୍ଷୀର କାକଳି ଶୁଭଇ ଆକାଶେ
ଦଳ ଦଳ ନୀଡ ଫେରା,
ସତେକି ତୁମର ଝୀନ ଆବରଣ
ଚିତ୍ରିତ ରଙ୍ଗରେ ଭରା ।
ସୁନୀଳ ଆକାଶ ମ୍ଳାନ ଦିଶିଲାଣି
ହଜିଯିବ ରଜନୀରେ,
ତା କଳା ଶାଢୀର କୋଟି ହୀରାବିନ୍ଦୁ
ଜ୍ୟୋତିଭରେ ତୁମ ପରେ ।
ଅହ୍ୟ ସୁଲକ୍ଷଣୀ ସଜ ହୋଇଲାଣି
ଜାଳିବାକୁ ସଞ୍ଜବତୀ,
ତୁଳସୀ ପାଖରେ କହିଦିଅ ଥରେ
ହେଉ ସେ ସୌଭାଗ୍ୟବତୀ ।
ଦିବସର ଅନ୍ତେ ରାତ୍ରି ନଆସୁଣୁ
ଅଟ ସନ୍ଧି ବେଳା ତୁମେ,
ତୁମରି ପରଶେ ଦେବତା ମନ୍ଦିରେ
ଶୁଭେ ଘଣ୍ଟଘଣ୍ଟି ପ୍ରେମେ ।
ସନ୍ଧ୍ୟା ଗୋ ତୁମେ ଚିର ଅନୁପମା
କବିର ଲେଖନୀ ଗାଏ,
ତୁମ ସୁଶୀତଳ ଛୁଆଁରେ ମହକ
ମନ ଆନମନା ହୁଏ ।