ସନ୍ଧ୍ୟା
ସନ୍ଧ୍ୟା
ଧୀରେ ଧୀରେ ଦିନ ଚାଲି ଗଲା ପରେ
ସୂର୍ଯ୍ୟ ଅସ୍ତ ହେଇଯାଏ
ପଶ୍ଚିମ ଆକାଶ ଲାଲ୍ ଟକ ଟକ
ଲୋହିତ ବରନ ହୁଏ ।
ସନ୍ଧ୍ୟା ଆସିଗଲା ସନ୍ଧ୍ୟା ଆସିଗଲା
ଧରିତ୍ରୀ ଉଠଇ ଜାଗି
ପକ୍ଷୀମାନେ କୋଳାହଳ ଶଦ୍ଦ କରି
ଉଡିଯାନ୍ତି ବେଗି ବେଗି ।
ଗୋରୁପଲ ସବୁ ହମ୍ବାରଡି ଦେଇ
ଗୁହାଳକୁ ବାହୁଡନ୍ତି
ଦୂର ଦେଶାନ୍ତରୁ କର୍ମରୁ ମାନବ
ନିଜ ଘରକୁ ଫେରନ୍ତି ।
ପିଲାମାନଙ୍କର ଖେଳ ସରି ଯାଏ
ଘରକୁ ଆସନ୍ତି ଫେରି
ଗୋଡ ହାତ ଧୋଇ କରନ୍ତି ପ୍ରାର୍ଥନା
ମନରେ ଭକତି ଭରି ।
ପଶ୍ଚିମ ଆକାଶ ଅତି ଲୋଭନୀୟ
ଆଖି ଲାଖି ଯାଉ ଥାଏ
ପାଖ ମନ୍ଦିରରୁ ସନ୍ଧ୍ୟା ଆଳତୀର
ଶଙ୍ଖ ଘଣ୍ଟ ଶୁଭା ଯାଏ ।
ତୁଳସୀ ଚଉରା ମୂଳେ କୁଳବଧୂ
ଜାଳୁ ଥାନ୍ତି ସଞ୍ଜବତୀ
ସନ୍ଧ୍ୟା ଆକାଶର ସନ୍ଧ୍ୟା ତାରା ହସି
ସ୍ୱାଗତ କରେ ଧରିତ୍ରୀ ।
ଜହ୍ନ ପାଖେ ପାଖେ ସନ୍ଧ୍ୟା ତାରା ଥାଏ
ଲାଗୁଥାଏ କେତେ ଶାନ୍ତି
କ୍ଷଣସ୍ଥାୟୀ ପାଇଁ ହେଉ ପଛେ ଇଏ
ଦିଶେ ଅପରୂପା କାନ୍ତି ।
ଶାନ୍ତିର ସମୟ ଏ ସନ୍ଧ୍ୟା ଆକାଶ
ତାକୁ ବା ଭୁଲିବ କିଏ
ଶ୍ରଦ୍ଧା ଭକ୍ତି ଭାବ ହୃଦୟେ ଭରଇ
ଜଗତର ବନ୍ଧୁ ସିଏ ।
ଗହଳ ଚହଳ ନୀରବି ଯାଅଇ
ଶାନ୍ତିର ପ୍ରତୀକ ଇଏ
ଅନେକ ସ୍ମୃତି ସେ ଦିଏ ଅନୁଭୂତି
ଏ ସନ୍ଧ୍ୟା ଭୁଲେ ବା କିଏ ?
