ସନ୍ଧିକ୍ଷଣ
ସନ୍ଧିକ୍ଷଣ


ଆକ୍ଷେପ ଆଉ କରିବିନି ହେ, ଯାହା
ବୁମେରାଙ୍ଗ ହୋଇ ଗଳିଯିବ ମୋ ଦେହେ
ଭୁଲରେ ବି ଭୁଲକୁ ଦୋହରାଇବିନି ଯେ
ଜଳୁଥିବି ନିଜେ ପଶ୍ଚାତାପର ଦାହେ |
ଭୁଲ କଣ କିଏ ଜାଣି ଶୁଣି କରେ କି ?
ଆକ୍ଷେପ କେ ମିଛଟାରେ ବରେ କି ?
ସେତିକି ଆସ୍ଥା ଅଛି ବୋଲି ତୁମ ପ୍ରତି,
ଯେତେସବୁ ଏ ଅନାସ୍ଥା ପ୍ରସ୍ତାବ,
ଯାହା ମଞ୍ଜୁର ହୋଇପାରୁନି
ସପକ୍ଷ ଓ ବିପକ୍ଷ ବାଦୀଙ୍କ ଦ୍ଵାହିରେ
ଦରବାର ବସୁଛି ଏଠି ଫି ଦିନମାନଙ୍କରେ
ସେ ରାଧାନାଥଙ୍କ ବା ମୋଗଲ ତାମସାର;
ଅଥଚ ନିର୍ଣ୍ଣୟ ହୋଇପାରୁନି, ଯଦି ହୁଏ, ମିଳେ
ଫଳ ଯଦୁମଣିଙ୍କୁ ପ୍ରାପ୍ତ ଚାକୁଣ୍ଡା ଭୁଇଁର |
ସ୍ଥବିର ପାଲଟି ଗଲିଣି ଯେ
ଅସ୍ତ୍ର-ଶସ୍ତ୍ରହୀନ ଶେଷ ଶଯ୍ୟାର ଭୀଷ୍ମପରି
ଆଶ୍ଵାସନା ଓ ଆସ୍ଥାର ଅଣାୟତ୍ତରେ
ଗାଣ୍ଡିବ ମୋ, ବଳ ଆଜି ଯାଇଛି ପାଶୋରି |
ଅତଏବ, ସନ୍ଧିକ୍ଷଣର ମୁହୂର୍ତ୍ତ ଓ ମନ୍ତ୍ର;
ତିନି ପାଦ ଭୂମି ମାଗୁ ନାହିଁ ମୁଁ ଯେ,
ମୋ ପାଇଁ ଲୋଡା ଯାହା ଦୁଇପାଦ ମାଟି,
ଆଉ ତୁମର ସୌହାର୍ଦ୍ଦ୍ୟ, ସାହଚର୍ଯ୍ୟ ଓ ପ୍ରୀତି |