ସମୟର କରାଳରେ
ସମୟର କରାଳରେ
ସମୟ ମିଳିଲେ
ଟିକେ ଦେଖିଆସ ଶ୍ମଶାନକୁ ଯାଇ
କେତେ ଯେ ଅହଂକାର
ପୋଡ଼ି ପାଉଁଶ ହୋଇଯାଇଛି
ନିଜ ଲୋକ ବି ପ୍ରଶ୍ନ କରନ୍ତି
ମୃତ ଲୋକକୁ
ଶ୍ମଶାନରେ ପହଞ୍ଚାଇ ଦେଇ
ଆଉ କେତେ ସମୟ ?
କେତେ ସମୟ ଲାଗିବ ପୋଡିବାକୁ ?
ସମୟ ମିଳିଲେ
ଟିକେ ପଚାର ନିଜକୁ
କେତେ ସମୟ
ଛାଡି ଚାଲିଆସିଛ ପଛରେ
ଆଉ କି ଫେରିବ ?
ଅଫେରନ୍ତା ପଥ ସିଏ
କେତେ କେତେ ଅନ୍ତରଙ୍ଗ ମୁହୂର୍ତ୍ତ
ମାନ ଅଭିମାନ
ସୁଖ ଦୁଃଖ
କାଟି ଦେଇଛ ଅତୀତରେ
ସେଇ ତ ସମୟ
ଟିକ୍ ଟିକ କରି ଚାଲିଛି
ଅନବରତ
ବାଆଁରୁ ଡାହାଣକୁ
ତାକୁ ଅଟକେଇବ ବା କିଏ ?
ସ୍ୱପ୍ନମାନେ ସବୁ ଭାସନ୍ତି
ପାହାନ୍ତି ସକାଳେ
ଅବା
ଧୁନ୍ଦଲା ଆଖିରେ
ଝାପସା ଝାପସା ସବୁ ଝାପସା
ଏହି ମୁହୂର୍ତ୍ତରେ
ସମୟର କରାଳରେ
ଆଜି ମୁଁ ମୃତ
ସମୟର ଟିକ ଟିକ ଶବ୍ଦରେ...
