ସମୟ
ସମୟ
ସମୟଟା ଗଡ଼ି ଯାଏ
କେବେ କିନ୍ତୁ ସାଇତି ହୁଏନି
ଚାରି ଭାଙ୍ଗ ମୁଦ ଦିଆ
ଲଫାପା କି କାଗଜ ଠୁଙ୍ଗାରେ
ଅବା ବନ୍ଦ ତେଜୋରୀରେ ।
ବୟସର ଅପରାହ୍ନରେ
ପଛକୁ ଚାହିଁ ବାକୁ ଇଚ୍ଛା ହୁଏ
ଅତିକ୍ରାନ୍ତ ସମୟର ଇତିହାସ
ଖୁବ୍ ଲମ୍ବା..ପଢି ହୁଏ ନାହିଁ
ଦୁଃଖ ସୁଖର ଫେଣ୍ଟା ଫେଣ୍ଟି
ମୁହୂର୍ତ୍ତ ମାନେ ଭାସି ଯାଆନ୍ତି
ଆଖିକୁ ଭିଜେଇ..
ମନରେ ଭରି ରୋମାଞ୍ଚ ।
ପ୍ରଶ୍ନ କେତେ! ମୁଣ୍ଡ ଟେକି
ଛାତି ତଳେ ଉଙ୍କି ମାରି
ଗୁଡେଇ ତୁଡେଇ ହୁଏ...
ଅଡୁଆ ସୂତା ଭଳି।
ଚାଲୁ ଚାଲୁ ଗୋଡ଼ ଝୁଣ୍ଟି
ଖମା ଖାଲ ଗୋହିରି ରାସ୍ତାରେ
ପଡି ଉଠି ରକ୍ତାତ ହେଲାପରେ...
ଥକି ଗଲେ ବି ଚଲା ସରେ ନାହିଁ..
ଶେଷରେ ପୂର୍ଣ୍ଣିମା ଆଲୁଅ
ଅମାବାସ୍ୟାର ଘନ ଅନ୍ଧାର
ଅଧଛାଇ ଅଧଖରା
ସବୁ ତ ଏକା ଅନୁଭବ...
ସମୟର ଦୁରତ୍ଵ
ଝର୍କା କଡରେ ଦେଖାଯାଉଥିବା
ରାସ୍ତା ପରି ଅସରନ୍ତି ଲାଗେ
କେଉଁଠୁ ଆରମ୍ଭ ପୁଣି ଅନ୍ତିମ
ସୀମା ହୀନ ଏ ସମୟ ପଥର।
