ସମୟ
ସମୟ
ସମୟ କୋଳରେ ସାଇତା ପ୍ରଶ୍ନର ସମୟ ଦିଏ ଉତ୍ତର
ସମୟ ଶିଖାଏ କିଏ ପର ଏଠି ଆଉ କିଏ ଆପଣାର ।
ସମୟ ଚକରେ ଗଡ଼ି ଗଡ଼ି ଚାଲେ ଆମ ଏ ଜୀବନ ରଥ
ସମୟ ଆଦେଶେ, ରାତି ଆସେ ଏଠି, ଆସଇ ପୁଣି ପ୍ରଭାତ ।
ସମୟ ରଚଇ କେତେ ପ୍ରଶ୍ନ-ବ୍ୟୁହ, ମିଳେନା ଉତ୍ତର ଯା'ର
ସମୟ କୋଳରେ ସାଇତା ପ୍ରଶ୍ନର ସମୟ ଦିଏ ଉତ୍ତର ।
ସମୟ ଅଧିର ,ସମୟ ନିଷ୍ଠୁର, ସମୟ ହିଁ ବଳଶାଳୀ
ସମୟ ଆକ୍ରୋଶେ, ଝରିଯାଏ ନିତି, ଜୀବନ ରୂପୀ ଶେଫାଳି ।
ସମୟ ଦେଖାଏ ମିଠା ମିଠା ସ୍ଵପ୍ନ, ଦିଏ ପୁଣି ପ୍ରତାରଣା
ସମୟ ହାତରେ ବନ୍ଧା ଭାଗ୍ଯଡ଼ୋରୀ,ଖେଳଇ ଭାବି ଖେଳଣା ।
ସମୟ ପରଖେ ସଭିଁଙ୍କୁ ଜୀବନେ, ଦେଇ ଦୁଃଖ ବାରମ୍ବାର
ସମୟ ଶିଖାଏ କିଏ ପର ଏଠି ଆଉ କିଏ ଆପଣାର ।
ସମୟ ସାଗରେ, ଢେଉ ରୂପେ ଖେଳେ ଜୀବନରେ ଦୁଃଖ-ସୁଖ
ସମୟ ଶେଯରେ ବିତଇ ଜୀବନ, ବାଳୁତ-ଯୁବା-ବାର୍ଦ୍ଧକ୍ୟ ।
