ସମୟ ତୁ ଟିକେ ରହି ଯା
ସମୟ ତୁ ଟିକେ ରହି ଯା
ସମୟ ତୁ ରହିଯା
କେମିତି ସରିଗଲା ପିଲାଦିନ ବାଲିଖେଳ
ମିଛିମିଛିକା ସଢ଼େଇ ଡାଲି ଭାତ ଆଉ ଯେତେ କାଠିକୁଟା ପତ୍ର ରେ ସଜାଡିଥିବା ନଅର
ଏଯାଏଁ ସମୁଦ୍ର ର ଢେଉ ପରା ସାଉଁଟୁଛି ସମୟର ପାଦ ଚିହ୍ନ,
ଧୁଧୁ ଖରାବେଳେ ଆମ୍ବ ଚୋରେଇ ଖାଇବାର ମଜା
ଆଉ ଥରେ ଲେଉଟି ଆସନ୍ତାନି
ସେଇ ସାଥି ମେଳ ବରଗଛ ଛାଇ ରେ ଲୁଚକାଳି ବୋହୁ ଚୋରି ।
ଧାଡ଼ିଧାଡ଼ି ବାଉଁଶ ବଣ ତା ଭିତରେ ମାମୁଁଘର ଦାଣ୍ଡ ଦୁଆରେ ମହମହ ବାସ୍ନା ଗୋବର ଲିପା ର।
ବଡ଼ ଚପଲ କୁ ପାଦରେ ଘୋଷାରି
କଣ୍ଟାବାଡ଼ ଆରପଟୁ ଫୁଲ ତୋଳୁ ତୋଳୁ
କେତେ ସତ ମିଛ କଳି ତାସହ କାନ ଧରି ଉଠବସ ସ୍କୁଲ ହୋତାରେ ,କଳା ପଟାରେ ପୋଛି ହୋଇ ରହିଛି କେତେ ଭଙ୍ଗା ଗଢ଼ା ନିରୁତା ମୁହୂର୍ତ୍ତ ସବୁ।
ରଫ ଖାତାର ଫର୍ଦ୍ଦ ଛିଡାଇ
କାଗଜ଼ ଡଙ୍ଗା ,ରକେଟ ଉଡି ଯାଏ ସ୍କୁଲ ବାରଣ୍ଡା ରେ
ଧାଡିଧାଡି ବଢ଼ାପତର ,ସେଠି ନିଜ ଜାଗାଟିଏ
ଖୋଜୁଖୋଜୁ ଲେଉଟି ଯାଏ କଅଁଳ ଖରା ର ଛାଇ
ଫେରିଆସନ୍ତାନି ସେ ଦିନ ସବୁ
କୁଆ ରାଵ ପୂର୍ବରୁ ଉଠି ନିଦ ମଳୁ ମଳୁ ଆଖିରେ ପଣିକିଆ ଘୋଷି ବାର ଶବ୍ଦ ଏବେ ପରା ଶୁଭୁଛି ରହି ରହି ,
ବର୍ଣ୍ଣବୋଧ ବହିରୁ ମଡ଼େଇ ଥିବା ଶବ୍ଦ ସବୁ ଦିଶୁଛି ମନ ଆଇନା ର ପୁରୁଣା ରଙ୍ଗ ନଥିବା କାନ୍ଥ ରେ
ସମୟ ଟିକେ ରହିଯାନ୍ତୁନି
ସାଇତା ହୋଇରହିଛି କଣ୍ଢେଇ ଖେଳର ଜରି ଦିଆ ପାଟ
ସୁନଫରୁଆରେ ଆକ୍ତା ମାକ୍ତା
ବୁଢ଼ି ଅସୁରୁଣୀ ଗପ
ଆଉ ଭାଙ୍ଗି ଯାଇଥିବା ସିଲଟରେ ଲେଖା ଛକି ସୁନ।
