ସମୟ ସହ ଆଳାପ
ସମୟ ସହ ଆଳାପ
ସବୁଦିନ ହେଉଥାଏ ଦେଖା ଅଟେ ସେ ଜନମୁ ମରଣ ଯାଏ ସଖା
ମୋ'ସହ କଥା ହୁଏ କେବେକେବେ, ସନ୍ଧ୍ଯା ଅବା ସମୟ ପ୍ରାତଃ ।
ପଚାରେ ସେ କେତେ ମୋତେ ପ୍ରଶ୍ନ, ଉତ୍ତର ପାଇଁ ପ୍ରସ୍ତୁତ ଏ ମନ
ଜୀବନର ମାନେ ବୁଝୁ କ'ଣ? କହେ ମୁଁ, କର୍ମଫଳର ଏକ ସ୍ରୋତ ।
ସମାନ୍ତରାଳେ ଚାଲେ ମୋର ସାଥେ ଅସନ୍ତୁଷ୍ଟ ଉତରରେ ମୋର
ପଚାରେ ସେ ସୁଖ କ'ଣ? ମୁଁ କହେ, ସୁଖ ଯାହା ହୁଏ ଇଚ୍ଛାପ୍ରାପ୍ତ
ପୁଣି କହେ ଲୁହ କାହିଁ ଆସେ? ମୋ' ଉତର ହେଲେ ଆଶା ଅପୂରା
ସତ୍ଯକୁ ସ୍ବୀକାର କରିବା ନୁହଁଇ ସହଜ, ହସଭଳି କାନ୍ଦମଧ୍ୟ ଶକ୍ତ ।
ସରେନାହିଁ ତା'ମନ କଥା ପ୍ରଶ୍ନ କରି ଦେଉଥାଏ କଷଣ ଓ ବ୍ଯଥା
ପଚାରେ ସେ କାହିଁକି ବଞ୍ଚିଛୁ? ମୁଁ କହେ, ତା' ଉପରବାଲାର ହାତ ।
କର୍ତ୍ତବ୍ୟ ର ଅର୍ଥ କ'ଣ ଜାଣୁ? ପ୍ରଶ୍ନ କରଇ ସେ ମୋତେ ଏଣୁତେଣୁ
ନିଜ ଲୋକ ହସୁ ମୋ' କାନ୍ଦ କା'କୁ ନ ଦିଶୁ ଏହା ହିଁ କର୍ତ୍ତବ୍ଯ ତତ୍ତ୍ବ।