ସମୟ ହିଁ ବଳବାନ
ସମୟ ହିଁ ବଳବାନ
ସମୟର ସ୍ରୋତ ଯେ ଅନବରତ
ଆଗକୁ ଆଗକୁ ଗତି
ବଳବାନ କେହି ତାହାଠାରୁ ନାହିଁ
ଯେଣୁ ଆମର ଏ କ୍ଷିତି
ପଡ଼ି ତା'ର କବଳେ
ସୁଖ ଦୁଃଖ ଦୁଇ ଆପଣେଇ ନେଇ
ଚଳିଥା'ନ୍ତି ସକଳେ
ନିଜ ଜୀବନ ବେଳାଭୂମିରେ ।
ପାଦ ପୋତି ହେଲେ ଉଠାଇ ନପାରେ
କେବଳ ଜଣେ କୁମତି
କେବେ ନିଜ ଚିତ୍ତ ନକରି ଆୟତ୍ତ
ଫେରିବା ମାର୍ଗକୁ ରୋଧି
ଅପରିଣାମଦର୍ଶୀ
ବୋଲାଇ କର୍ମରେ ଜିଅଁଇ ସଂସାରେ
ଅଳିଆକୁ ହୃଦେ ଲେସି
ନ ପାରଇ ବି ଜୀବନେ ହସି ।
ସମୟର ମୂଲ୍ୟ ଜୀବନେ ଅତୁଲ
ବୁଝିପାରେ ବିଜ୍ଞଜନ
ଦାଉଧକ୍କା ସହି ପଛେ ନ ଫେରଇ
କର୍ତ୍ତବ୍ୟରେ ରଖି ଧ୍ୟାନ
ତା' ବିବେକବୋଧରେ
ସମୟର ତାଳେ ସୁପଥରେ ଚଳେ
ନିତି ଲକ୍ଷ୍ଯ ହାସଲରେ
ସ୍ବଚ୍ଛ ନିରିମଳ ହୃଦୟରେ ।
କେତେବେଳେ ନେଇ ଠିଆ ସେ କରଇ
କାହାକୁ ରାଜରାସ୍ତାରେ
ପୁଣି କେବେ ଢାଳେ ସୁନା କଳସୀରେ
ଜଳ ହାତୀ ତା' ମୁଣ୍ଡରେ
ସମୟର ଏ ଖେଳେ
ଦୃଢ଼ ମନୋବଳ ଧୈର୍ଯ୍ୟକୁ ଥଳ
କରି ନିଜକୁ ଯେ କଳେ
ଯେତେ ବିପଦ ଆସିଲେ ଟଳେ ।