ସମୟ ଦିଏ ଆହ୍ୱାନ
ସମୟ ଦିଏ ଆହ୍ୱାନ
ଆମ ଜନ୍ମଦିନ ସରାଗ ବିହୀନ
ହେଉ ନାହିଁ ପିଠାପଣା
ଜଳୁ ନାହିଁ ଦୀପ ସ୍ନେହ ସଳିତାରେ
ହେଉ ନାହିଁ ବନ୍ଦାପନା ।
ଅନୁସରି ଲୋକେ ପାଶ୍ଚାତ୍ଯ ସଭ୍ଯତା
ଲିଭାଇ ମହମବତୀ
ପାଳନ କରନ୍ତି ହାପି ବାର୍ଥ ଡେ
ଗୀତନାଟ ଭୋଜି ପାର୍ଟି ।
ବଦଳି ଗଲାଣି ଆମ ରୀତିନୀତି
ସମାଜ ପର୍ବପର୍ବାଣୀ
ଛାତିକୁ ଥରାଏ ଶବ୍ଦ ବିକଟାଳ
ଉଚ୍ଚ କାନଫଟା ଧ୍ବନି ।
ନାହିଁ ଆମ୍ବତୋଟା ନିମ୍ବ ଓ ଅଶ୍ବସ୍ତ
ବରଗଛ ଘନ ଛାୟା
ବଢେ ପ୍ରଦୂଷଣ ଉଚ୍ଚ ତାପମାତ୍ରା
ଦୁର୍ନୀତି ବିସ୍ତାରେ କାୟା ।
ଆଗ ପରି ଆଉ ଲୋକଙ୍କ ମନରେ
ନାହିଁ ଆଦର ସମ୍ମାନ
ଅର୍ଦ୍ଧନଗ୍ନ ବେଶେ କାଢନ୍ତି ଫେସନ
ନକରି ଲାଜ ସରମ ।
ଘର ପରିବାର ସମ୍ପର୍କ ସମ୍ବନ୍ଧେ
ନାହିଁ ପୂର୍ବ ମଧୁରତା
ଦାନ ଦୟା ଧର୍ମ ହୁଅଇ ଅଦୃଶ୍ଯ
କିଂକର୍ତ୍ତବ୍ଯ ମାତାପିତା ।
ମଣୁଛି ମଣିଷ ଆପଣାକୁ ଶ୍ରେଷ୍ଠ
ହେଉଅଛି ସ୍ବାର୍ଥପର
ଜଳୁଛି ହୃଦୟ ହିଂସା ଅଶାନ୍ତିରେ
କରୁଛି ବିଷ ଉଦ୍ଗାର ।
ଶବ୍ଦେ ବିଜ୍ଞାପିତ ମହତ୍ତ୍ବ ରହିତ
ବଜାର ବୈଶ୍ବୀକରଣ
ଖାଦ୍ଯ ଗୁଣବତ୍ତା ମାନ ମୂଲ୍ଯାଙ୍କନେ
ହୁଅଇ ଅପମିଶ୍ରଣ ।
ପାହୁ କାଳରାତ୍ରୀ ହେଉ ସୂର୍ଯ୍ୟୋଦୟ
ଉଦ୍ଭାସୁ ବିବେକ ଜ୍ଞାନ
ବିକଶୁ ସୁମନ ଚହଟୁ ସୁରଭି
ସମୟ ଦିଏ ଆହ୍ୱାନ ।