ସମୟ ଚକ୍ର
ସମୟ ଚକ୍ର
ଅଦୃଶ୍ୟ ସେ ମହାଶକ୍ତି ସମୟର ଚକ୍ର
ବୁଲୁଥାଏ ଦ୍ରୁତ ଭାଗ୍ୟ କର୍ମର ପଥେ ପଥେ,
ପାର୍ଥିବ ଜୀବନକୁ ନିଶବ୍ଦେ ନିଏ ଓଟାରି
ବାଦ ବିବାଦ ନକରି ସେ କାହାରି ସାଥେ।
ବୁଝେନା ସେ ସଂସାରର ମାୟା ମୋହ
ପ୍ରିୟା ପ୍ରୀତି ଆନ୍ତରିକତା ହୃଦୟର ଭାବ,
ଅବିରାମେ ଭ୍ରମୁଥାଏ ସ୍ବାଭାବିକ ବେଗେ
ପ୍ରତିକ୍ରିୟା ଥାଏ ତା' ସଦା ନିଃଶବ୍ଦ ନୀରବ।
ମଧୁ ପରଶରେ ବରଷାଏ ସେ କରୁଣା
ଘାତ ପ୍ରତିଘାତରେ ଦିଏ କ୍ଳେଶ ଯନ୍ତ୍ରଣା,
ସଂଯୋଗରେ ତାର ମିଳଇ ପ୍ରେରଣା
ବିଚ୍ଛେଦରେ ହଜି ଯାଏ ଜୀବନର ଠିକଣା।
ସମୟର ଚକ୍ର ବୃତ୍ତାକାରେ ହୋଇ ବକ୍ର
ବୁଲୁଥାଏ ଅନ୍ତରାଳେ ବିଧିର ଇଙ୍ଗିତରେ,
ସରଳ ଉଦାର ସ୍ଵଭାବକୁ ସେ ଶାନ୍ତ
ଉଗ୍ର ହୁଏ ସେ କୁଟିଳତା ଜଟିଳତାରେ।
ଜୀବନ ଯାତ୍ରାର ଗତି ପ୍ରଗତି ଅଗ୍ରଗତିକୁ
ନିମିଷକେ କରିଥାଏ ତାର ନିୟନ୍ତ୍ରଣ,
ନାହିଁ ସେ କାହାର ଆୟତ୍ତ ଅଧୀନରେ
ସ୍ବାଧୀନ ସ୍ବତନ୍ତ୍ର ତାର ସ୍ବଭାବ ଗୁଣ।
ପେଶି ନାଶି ଦିଏ ଗର୍ବ ଅହଂକାର
ରଖେ ନାହିଁ କାହାରି ଅଭିମାନ ଦାମ୍ଭିକତା,
ହିରଣ୍ୟ କଂସ ରାବଣଙ୍କ ଭଳି ଗର୍ବୀ
ମହାପ୍ରତାପୀଙ୍କୁ ବି କରି ପାରେ ବିବଶ,
ଯାହାର ଯେତେ ଶକ୍ତି ଥାଉ ନା କାହିଁକି
ଆହତେ ନିହତେ କରେ ସବୁ ନିଃଶେଷ।
ସୁକର୍ମରେ ଚଲାପଥ କରିଦିଏ ସୁଗମ
ଦୁଷ୍କର୍ମରେ ଜୀବନ ଯାତ୍ରା ହୁଏ ଦୁର୍ଗମ,
ବିଧିର ବିଧାନରେ ପ୍ରକୃତିର ନିୟମ
ଅମାନ୍ୟ କଲେ ହୁଏ ତାର ବ୍ୟତିକ୍ରମ।
ସୁଧାମୟ ସୁନ୍ଦର ଆନନ୍ଦର ଏ ବସୁଧା
ପାଏ ଯେବେ କିଛି ଆଘାତରେ ବାଧା,
ସମୟ ଚକ୍ର ଘୁଞ୍ଚାଇ ଦିଏ ଅସୁବିଧା
ଭବେ ପୂର୍ଣ୍ଣକରେ ତାହା ଥାଏ ଯା' ଅଧା।