ସମୟ(ଆତ୍ମନେପଦୀ)
ସମୟ(ଆତ୍ମନେପଦୀ)
ମହାମାରୀ ବିଭୀଷିକା
ରୋଗ ଦୁଃଖ କଷ୍ଟ ,
ଶିକ୍ଷା ଦୀକ୍ଷା ଆଜୀବିକା
ବିପନ୍ନ ସମସ୍ତ କ୍ଷେତ୍ର,
ବଢିଚାଲେ ମଣିଷର ରାକ୍ଷସ ପ୍ରବୃତ୍ତି
ମଣିଷ ମନ ଭିତରେ ଅସୀମିତ
ଅର୍ଥ ଆଉ କ୍ଷମତାର ଅହଂ,
ପାରୁଛ ତ କାନ ଡ଼େରି ମନ ଦେଇ ଶୁଣ,
ସବୁଆଡେ ଗୁଞ୍ଜେ ଆର୍ତ୍ତନାଦ
ଛଟପଟ ପ୍ରାଣ ।
ମୁଁ ସମୟ ମହାକାଳ
ପାପ ପଙ୍କେ ବୁଡ଼ି ବୁଡି ଯାଉଅଛି
ମୋ ସବୁ ଚକ ଅଖ,
କପଟ କୂଟୀଳ ଚକ୍ରେ ମୋ ଅଧ୍ୟାୟ
କଳଙ୍କିତ ମ୍ଳେଚ୍ଛ ତତ୍ତ୍ୱ ଗ୍ରସ୍ତ,
କୁହ ମୋ ସନ୍ତାନଗଣ !
କେମିତି ବୋହିବି ବୋଝ
ବଞ୍ଚାଇ ରଖି ପାରିବି ସତ୍ୟ ଶିବ
ଜୀବନ ଭବିଷ୍ୟ ।
ସବୁ କିଛି ନୁହେଁ ବର୍ତ୍ତମାନ
ଜଡ଼ ସ୍ଥାବର ଜଙ୍ଗମ ଯାହା ଆଜି
ଅଛି ଦୃଶ୍ୟମାନ,
ରହିଛି ଅତୀତ ମୂଳ ଅଛି ପୁଣି
ଭବିଷ୍ୟ ପ୍ରମାଣ,
ସୀମା ତୁମ କର ନିର୍ଦ୍ଧାରଣ;
ଅବିଚାରେ ତୁମେ କଲେ ଅତ୍ୟାଚାର
ଏ ପୃଥିବୀ ପ୍ରକୃତି ପ୍ରକୋପେ
ହେବ ଧ୍ୱଂସ ମହା ବିସ୍ଫୋରଣ,
ଠକିଦେଲେ ମୋତେ ଅବା
ଅନ୍ୟକୁ ଯାହାକୁ
ଠକିଯିବ ନିଜେ,
ବେଳ ଥାଉଁ ହୁଅ ସଚେତନ,
ଉତ୍ତରଦାୟାଦ ପାଇଁ ଉତ୍ତର ଦାୟିତ୍ୱ ଲୋଡ଼ା
ସ୍ୱକର୍ତ୍ତବ୍ୟେ ଅନୁପାଳ ଆତ୍ମ ସଂଯମତା
ନିଷ୍ଠାବାନ ହୁଅ ଆୟୁଷ୍ମାନ ।
