ସ୍ମୃତିରେ ସ୍ମୃତିରେ କାଗଜ ଡଙ୍ଗା
ସ୍ମୃତିରେ ସ୍ମୃତିରେ କାଗଜ ଡଙ୍ଗା
ଶେଷ ଶ୍ରାବଣରେ ମୁଷଳ ଧାରାରେ
ବରଷି ଯାଉଛି ପାଣି
ଜଳ ପ୍ରକୋପରେ ଆକ୍ତା ମାକ୍ତା ହୁଏ
ସବୁଜ ଧରଣୀ ରାଣୀ ।
ସହର ବଜାର ଗାଁ ସଡ଼କରେ
ଆଣ୍ଠୁଏ ସରିକି ଜଳ
ମଣିଷ ପାଇଁକି ପ୍ରତିକୂଳ ସ୍ଥିତି
ପ୍ରକୃତିକି କିବା ବଳ ।
ଗୋଳିଆ ପାଣିର ପ୍ରଖର ସୁଅଟା
ଲାଗଇ ଯେମିତି ଗଙ୍ଗା
ବାଳୁତ ପିଲାଏ ଭସାଇ ଦିଅନ୍ତି
କାଗଜ ତିଆରି ଡଙ୍ଗା ।
କେଉଁ ଅତୀତରେ ସାଧବ ଆମର
ଯାଉଥିଲେ ଦୂର ଦେଶେ
ସାଗର ବକ୍ଷରେ ବୋଇତ ମେଲାଇ
ବଣିଜ କରିବା ଆଶେ ।
ଗୌରବର ସେହି ମଧୁର ସନ୍ତକ
ଆଜିବି ଜାଗ୍ରତ ପ୍ରାଣେ
କାର୍ତ୍ତିକ ପୂର୍ଣ୍ଣିମା ସେହି ସ୍ମୃତିଟିକୁ
ସାଗର୍ବରେ ଟାଣିଆଣେ ।
ଜାଭା, ସୁମାତ୍ରା ବା ବୋର୍ଣ୍ଣିଓ ଦ୍ବୀପରେ
ବେପାର ବଣିଜ କରି
ସାଧବେ ଆମର ଆସୁଥିଲେ ଫେରି
ବହୁ ଧନରତ୍ନ ଧରି ।
ସେହି ଗୌରବକୁ ସ୍ମୃତିରେ ସାଇତି
ଆଜିବି କଳିଙ୍ଗ ହସେ
ବାଲ୍ୟ ଚପଳତା ପିଲାଦିନ ସ୍ମୃତି
କାଗଜ ଡଙ୍ଗାରେ ଭାସେ ।
ଟଳ ମଳ ହେଇ ହଲି ଦୋହଲିକି
କାଗଜ ଡଙ୍ଗା ତୁ ଯାଆ
ଅଦୂରରେ ଯାଇ ସାଙ୍ଗ ସାଥୀ ମେଳେ
ଜଳ ସ୍ରୋତେ ଭାସୁ ଥାଆ ।
ଫେରିବୁନି କେବେ ପଛକୁ ଆଉ ତୁ
ଅଗ୍ରଗାମୀର ଦୂତ
ଆମେ ଦୁଃସାହସୀ ଅମୃତ ସନ୍ତାନ
ଦେଶ ସେଵା ଆମ ବ୍ରତ ।
ଗୌରବମୟ ସେ ଅତୀତ କୁ ସ୍ମରି
ଗାଇବା କୀରତି ଗାଥା
ବୀର କଳିଙ୍ଗର ବର ପୁତ୍ର ଆମେ
ସହାସ୍ୟେ ଟେକିବା ମଥା ।