ନବ ଜୋଛନା ତୋଳିବା ମଣିଷର ମନେ
ନବ ଜୋଛନା ତୋଳିବା ମଣିଷର ମନେ
ଝାଳନାଳ ହୋଇ ସରଳ ଖଟିଖିଆ ଖଟୁଥାଏ
ଢୋକେ ପିଇ ଦଣ୍ଡେ ଜିଇ
କିଛି ମଣିଷ ବିନା ଶ୍ରମରେ ଆନନ୍ଦେ ଚଳନ୍ତି ତା
କଷ୍ଟଲବ୍ଧ ଶ୍ରମକୁ ଶୋଷି ନେଇ ।
ନିଜେ ଦୁଃଖ ସହି, ସରଳ ଖଟି ଖିଆ ମଣିଷ
ସିଏ କର୍ମକୁ କରେନା କେବେ ଭୟ
ସବୁରି ମୁଖରେ ସେ ତ ହସ ଫୁଟାଏ, କୃଷକ ଓ
ଶ୍ରମିକକୁ ସନମାନେ ଦେଶର ହୁଏତ ଜୟ ।
ସେମାନେ ଖଟିଲେ ଯାଇଁ ଧାନ ମୁଗ ବିରି ପନି
ପରିବା ଅଭାବ ନଥାଏ ଘରେ
ଦାନେ ଅନୁଦାନେ ତାକୁ ଭିକାରୀ କରିଲେ ସମାଜ
ଅମଳ ନହୋଇ ଦୁଃଖେ କାନ୍ଦି କାନ୍ଦି ମରେ ।
ପଶୁ ଜଗତ ଓ ମଣିଷ ସମାଜେ ସମ୍ପର୍କ ଯାହା
ସବୁ ସ୍ୱତଃ ଦେଖିବାକୁ ମିଳେ
ଭାବପ୍ରବଣତା, ନିଃସ୍ବାର୍ଥ ପ୍ରେମ, ଉଦାରତାର
ଅଭାବ ପାଇବା ନାହିଁ ତ ତିଳେ ।
ପଶୁ ଜଗତେ ଶୋଷଣ କରିବା, କ୍ଷମତା ଥାଇ
ବି ନ କରେ କିଛି କାରଣ ବିନା
ମଣିଷ କିନ୍ତୁ ସ୍ବାର୍ଥ ନିଶାରେ କରେ ପର ଅପକାର
ହଟାଏ ମଣିଷ ଭିତରେ ସଦ୍ଭାବନା ।
ପଶୁ ରହେ ଶାନ୍ତି ରକ୍ଷା କରି ସହାବସ୍ଥାନେ, ତାର
ନଥାଏ ମନରେ କୁଟିଳତା ଭରି
ପଶୁଠାରୁ ତ ସରଳତାର ସେହି ଧର୍ମ ଶିଖିବାର ଅଛି,
ଶାନ୍ତିରେ ରହିବା ତାକୁ ଅନୁସରି ।
ଶ୍ରମିକ, ଶ୍ରମ କଳ କୌଶଳରେ ବସ୍ତୁରେ ଭରି ଥାଏ
ତାହାର ସମସ୍ତ ଶ୍ରମ ମୁଲ ଓ ଭାର
କରି ଶୋଷଣ, ଦେଇ କଷଣ ପୁଂଜିପତି ସଦା ଦେଶର
ସମସ୍ତ ସାମଗ୍ରୀ କରିଥାଏ ଅଧିକାର ।
କର ଯେତେ ଧରମର ବାଖ୍ୟା, ନିତି ପାଠ କରୁଥିଲେ,
ଧରମ ନାମେ ଫଳ ମିଳେନି ଶୁଭ
ନ ମିଳଇ ମୁକ୍ତିର ମାର୍ଗ ହୃଦୟରେ ମୋର ଯଦି ଜାଗ୍ରତ
ନହେବ ସେବା ଓ ସମର୍ପଣ ଭାବ ।
ସରବ ସାମାଜିକ ନୀତି, ଅର୍ଥନୀତି ଅଧ୍ୟୟନ କରି ଏହି
ମୂଳସୂତ୍ର ଦେଇ ଯାଇଛନ୍ତି କାର୍ଲ ମାର୍କସ୍
ଦୁନିଆର ଯେତେ କୃଷକ ଶ୍ରମିକ ଏକାଠି ହୁଅ, ଆଣିବାକୁ
ହେବ ମୁକ୍ତି, ଶ୍ରମିକ ଓ କୃଷକର ମୁହେଁ ହସ ।
ପୃଥିବୀ ମାଆର ପୁଅ ଝିଅ ଆମେ ଏକାଠି ହୋଇବା ଠିଆ,
ଶାନ୍ତିଦୂତ ସାଜି ଏ ବିଶ୍ଵର ବୁକୁରେ
ମଣିଷତ୍ୱର ଅଇରି ନିପାତି, ରଖିବା ମଣିଷ ଟେକ ନବ
ଦୁନିଆର ଜୋଛନା ତୋଳି ଆଣିବାରେ ।