ମୋ ଗାଁ
ମୋ ଗାଁ
ଆକାରରେ ସିନା ଛୋଟ ମୋ ଗାଁଟି,
ରୂପରେ ତାର କିଏ ସରି l
ସବୁଜିମା ଭରା ବିଲ ବଣ ନଈ,
ଲାଗଇ ସରଗ ପୁର ପରି l
ପୁରୁବେ ଅଛନ୍ତି ବାବା ଆଦୀଶ୍ଵର,
ପଶ୍ଚିମରେ ମାଆ ଠାକୁରାଣୀ l
ଉତ୍ତରେ ରହିଛି ବନଦୁର୍ଗା ବଣ,
ଦକ୍ଷିଣେ ଫୁଲେରୀ ପୁଷ୍କରିଣୀ l
କବାଡି କାଲୁଆ କୁମ୍ଭାରଗାଡ଼ିଆ,
ତେନ୍ତୁଳି କାଦୁଆ କୀଆଧର l
ମାହାର ନୂଆବନ୍ଧକୁ ମିଶାଇ ,
ନଅ ବନ୍ଧ ଆଉ ଦୁଇ ଝର l
ଆଗ ପଛ ହେଇ ବହି ଯାଇଛନ୍ତି,
ଦୁଇଟି କେନାଲ ଗୋଟିଏ ନଈ l
ଯୁଗେ ଯୁଗେ ବାର୍ତା ଦେଇଚାଲିଛନ୍ତି,
ଗୋଟେ ମାଆର ଆମେ ତିନୋଟି ଭାଇ l
ମୋ ଗାଁରେ ରହିଛି କୋଠଘରଟିଏ ,
ମୁକସାକ୍ଷୀ ଆମ ଏକତାର l
ଭଜନ କୀର୍ତ୍ତିନ ସ୍ୱରରେ କମ୍ପନ,
ହୁଏ ସବୁଦିନ ଯଜ୍ଞଘର l
କେତେ ହସଖୁସି ମୋ ଗାଁ ବାସୀ ,
ପୁନେଇଁ ଯନ୍ତାଳ ଯାନିଯାତ l
କେତେଯେ ରହିଛି ଆମ୍ବ ତୋଟାମାଳ,
କୋଇଲିର ମିଠା କୁହୁ ଗୀତ l
ବାଇଚଢେଇର କିଚି ମିଚି ଡାକ,
କାଉ କୁକୁରର ରାବ l
ଚିଲ ଶାଗୁଣାର ଉଡ଼ାଣ ସାଙ୍ଗକୁ,
ଗାଈ ମଇଁଷିର ଭାବ l
ଘର ଘର ଡେଇଁ ହନୁ ମାଙ୍କଡଟି,
ଝାମ୍ପିନିଏ ହାତୁ ଆହାର ତାର,
ସଂଢ ଗାଈ ଗୋରୁ ଲଗାମ ବିହୀନ,
ଫସଲ କରନ୍ତି ନାରଖାର l
ମୋ ଗାଁ ମାଟି ଗରବେ କହଇ,
ବୀର ଗାଥା ଆମ ଅତୀତର l
କେତେ ମହାରଥୀ ଜନମି ଏଇଠି,
ରଖି ଯାଇଛନ୍ତି ଯଶ ତାର l
ସ୍ୱାଧୀନ ସଂଗ୍ରାମୀ ବାସୁଦେବ ସ୍ୱାଇଁ,
ଅରକ୍ଷିତ କ୍ଷେତ୍ର ଭୁଜବୀର,
ଗାଁର ଗୌରବ କହ୍ନେଇ ମାଷ୍ଟର ,
ମୃଦଙ୍ଗ ବିଦ୍ୟାରେ ଧୁରନ୍ଧର l
ଆଖି ଖୋଲିଦେଲା ପ୍ରଫୁଲ୍ଲ ମାହାଣl,
ଦୁନିଆକୁ ବାର୍ତା ଦେଇ ଗଲା l
କୁଅଁରେ ପଡିବl ପିଲାଙ୍କୁ ବଞ୍ଚାଇ,
ନିଜ ଜୀବନକୁ ହାରି ଦେଲା l
ଏମିତି ଗାଁରେ ଜନମ ହୋଇଣ ,
ନିଜକୁ ମଣୁଛି ଭାଗ୍ୟବାନ l
ବଞ୍ଚିଥିବାଯାଏଁ ଗୁଣ ଗାଉଥିବି ,
ହେବାକୁ ଦେବିନି ଅସମ୍ମାନ l
