ସ୍ମୃତିର ସିନ୍ଧୁକ
ସ୍ମୃତିର ସିନ୍ଧୁକ
କାଲି ମୁଁ ଯେ ତୁମ ସାଥେ
ଥିବି କି ନଥିବି
କିଛି ସ୍ମୃତି ତୁମ ପାଇଁ
ଛାଡ଼ି ଯାଇଥିବି ।
ମୋ କଥା ତୁମର ଯେବେ
ମନେ ପଡିଯିବ
ସ୍ମୃତିର ସେ ସିନ୍ଧୁକକୁ
ଫିଟାଇ ଦେଖିବ ।
ଯେତେ ସବୁ ଉପହାର
ଦେଇଥିଲ ମୋତେ
ଦେଖିବ ମୁଁ ସାଇତିଛି
ଜତନରେ କେତେ ।
ବେଶି ଯଦି ମନେପଡେ
ସେ ସବୁକୁ ଦେଖି.....
କୋହକୁ ସମ୍ଭାଳିନେବ
ନ ଭିଜାଇ ଆଖି ।
ରହିଯିବ ଆମ ଗଳ୍ପ
ହୋଇ ଅଧାଲେଖା
ଏ ଜନମେ ଆଉ କେବେ
ହେବ ନାହିଁ ଦେଖା ।
ଆଉ କେବେ ମୋତେ ତୁମେ
ପାଇବନି ଖୋଜି
ସ୍ମୃତିରେ ହଜିବ ଯାହା
ଆଖିଦୁଇ ବୁଜି ।
ଶରୀରଟା ପୋଡ଼ି ଜଳି
ହୋଇଲେବି ଲୀନ
ଏ ଆତ୍ମା ରହିବ ତୁମ
ପାଶେ ସବୁଦିନ ।
