STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ସ୍ମୃତି "

"ସ୍ମୃତି "

1 min
45

ସ୍ମୃତି, 

ଏକ ନୀରବ ଅନୁଭୂତିଟିଏ 

ସାଇତା ସନ୍ତକଟିଏ 

ଅଫେରା ଅତୀତର 

କେବେ ପୁଣି ରୁପା ଜହ୍ନଟିଏ 

ଏଇ ମନ ଆକାଶର 

ସାହାରାଟିଏ 

ନିଃସଂଗ ଜୀବନର 

ସାଥିଟିଏ 

ହଜିଲା ଦିନର 

ଅନ୍ତରଙ୍ଗ ବନ୍ଧୁଟିଏ 

ଭାବନାର ପରିରାଇଜର 

କେବେ ସୁଖର କେବେ ଦୁଃଖର 

କେବେ ହସର କେବେ ଲୁହର l

ବେଳେ ବେଳେ ଚାଲିଆସେ 

ଏଇ ମନର ନିଭୃତ କୋଣକୁ 

ଅନ୍ତଃଚେତନାର ବ୍ୟଗ୍ରତା ଭିତରେ 

ଆନ୍ଦୋଳିତ କରିତୋଳେ 

ଏଇ ମନ ଗହନକୁ 

ମନେ ପକେଇ ଦିଏ 

ହଜିଲା ଅତୀତର 

କିଛି ତିକ୍ତ-ମଧୁ ଅଭୁଲା ମୁହୂର୍ତ୍ତକୁ

ବେଦନାସିକ୍ତ, ଯନ୍ତ୍ରଣା ଜର୍ଜରିତ ଦିନ ସବୁକୁ l

ସେ ଆସେ କେବେ କେବେ 

ଉତ୍ତପ୍ତ ନିଦାଘର ଶୂନଶାନ ପଥପରେ 

ଧାରା ଶ୍ରାବଣର ତୁହା ତୁହା ବର୍ଷାର ପ୍ରତିଟି ବୁନ୍ଦାରେ 

ଚାଷୀ ଭାଇଟିର ଆଶା ଆଉ ଭରସାର ସବୁଜ କ୍ଷେତରେ 

ଶିଶିର ସ୍ନାତ ଶୀତ ସକାଳର କଅଁଳ ଖରାରେ 

ନିଷ୍ପାପ ଶିଶୁଟିର ଖନି ଖନି କଥା ଭରା କଅଁଳ ଓଠରେ 

ପୁଣି କେବେ ଦାରିଦ୍ରତାର କଷାଘାତ ଭିତରେ 

ବଞ୍ଚିବାପାଇଁ ସଂଘର୍ଷ କରୁଥିବା ଏଇ ତେଲ ଲୁଣର ସଂସାରରେ l

ସେ ଆସିଲେ 

ମନେ ପଡେ ପିଲାଦିନ 

ଖୋଜିବାକୁ ଇଚ୍ଛା ହୁଏ 

ସେଇ ବିଗତ ଦିନର ପ୍ରତିଟି ମୁହୂର୍ତ୍ତକୁ 

ଜୀବନର ଚଲାପଥରେ ଛାଡିଆସିଥିବା 

କେତେଯେ ଘଟଣା ଆଉ ଦୁର୍ଘଟଣାର 

ଅଙ୍ଗେନିଭା ସାଉଁଟା କାହାଣୀକୁ l

ସମୟର ଡ଼ାକରାରେ ସେ ପୁଣି କଡ଼ଲେଉଟାଏ 

ଭାବନାର ନିମଗ୍ନତାକୁ ଭାଙ୍ଗି 

ସମ୍ଭାବନାର ଆଶ୍ୱାସନା ଟିକେ ଦେଇ 

ସେ ପୁଣି ଫେରିଯାଏ ତା'ର ସେଇ ଦୂର ଦିଗବଳୟକୁ

ନିଃସଂଗତାର ଅସହାୟତାକୁ ଦୂରୀଭୂତ କରି 

ସେ ଚାଲିଯାଏ ତା' ବାଟରେ 

ନୀରବ ନିଶ୍ଚଳ ଢଙ୍ଗରେ 

ସମୟର ଅଦୃଶ୍ୟ ପଥରେ

ଦୂରକୁ ଦୂରକୁ ଅନେକ ଦୂରକୁ

ଦେଇଯାଏ ଖାଲି 

ଏଇ ଆଖି ଧାରରେ ଦୁଇଟୋପା ଲୁହ 

ପୁଣି କେବେ ମେଞ୍ଚାମେଞ୍ଚା ଖୁସିର ରୋମାଞ୍ଚ 

ସେଇଥିପାଇଁତ ନାଁ ତା'ର ସ୍ମୃତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy