ସ୍ମୃତି
ସ୍ମୃତି


ଅମୂଲ୍ୟ ଅତୀତର ସ୍ମୃତି ସବୁ
ବହିଯାଏ ସମୟର ମୃଦୁ ମଳୟରେ
ରହିଯାଏ କିଛି କିନ୍ତୁ
ଅଭୁଲା ଅଲିଭା ହୋଇ ।
ଦ୍ୱାହି ଦେଇ ମିଥ୍ୟା ସମ୍ପର୍କର
ବନ୍ଧୁତାର ଛଳନାରେ
ଛାପିହୋଇ ରହିଥିବା
ଅନୁଭୂତି ସବୁ
ଉଡିଯାଏ ପ୍ରହେଳିକା ସାଜି
ସନ୍ଧ୍ୟା ଗୋଧୂଳି ସଦୃଶ ।
ହୋଇଯାଏ ମଣିଷଟି
ସୁଖେ ଆତ୍ମହରା,
ଭାଙ୍ଗିଯାଏ କିନ୍ତୁ ତାହା
କାଚର ଆଇନା ପରି
ସତ୍ୟ ଅବଗତେ ।
ଦୀର୍ଘଶ୍ୱାସ ମାରି ଭାବେ
ଭୁଲଥିଲା, ବନ୍ଧୁତାର ଆବରଣ
ମୃଗତୃଷ୍ଣା ପରି ,
ସେଇ କ୍ଷତାକ୍ତ ମନର
ସ୍ନେହ, କରୁଣା ମମତା ।
ମନେପଡେ ଏକ ପୁରୁଣା କାବ୍ୟାଂଶ
“ ସ୍ମୃତି ଏକ ଜହ୍ନ ରାତି ”
ସମ୍ପର୍କର ଶସ୍ତା ସଫଳତା
ଲିଭିଯାଏ ସତେ ଯେହ୍ନେ ଲୁଚିଯାଏ ଜହ୍ନ
କୃଷ୍ଣକାୟ ବାଦଲ ପ୍ରକୋପେ ।
ରୋମାଞ୍ଚିତ କିଛି ସ୍ମୃତି କରେ ଆହ୍ଲାଦିତ
ବନିଯାଏ ସାହାରା ସେ ବାକି ଜୀବନର,
କିଛି କିନ୍ତୁ ଦିଏ ଦୁଃଖ
ମନଟାକୁ କରେ ବିକଳାଙ୍ଗ
ଥାଏ ସେଠି ଆଶା, ପ୍ରତିଶୃତି ।
ଅତୀତର ଅନୁରାଗ ଭରା
ସମ୍ପର୍କର ଖିଅ
ହୁଏ ଏବେ
ଅବିଶ୍ୱାସେ ଡହଳ ବିକଳ ,
ସଂସାରରେ ଚାଲିଛି କେବଳ
ମୂଲଚାଲ ,
ଫେଡାଣ ଗୁଣନ
ଦେବା ନେବାର ହିସାବ ।