ସ୍ମୃତି
ସ୍ମୃତି
ତୋ ଭଲ ପାଇବା ତୋର ସେଇ ସ୍ମୃତି
ସାଥିରେ ପାରୁନି ଭୁଲି
କାହିଁକି ଖେଳିଲୁ ଏମିତି ତୁ ଖେଳ
ଧୋକା ଦେଇ ଗଲୁ ଚାଲି
ଏବେବି ହୃଦୟେ କରିଛୁ ତୁ ଘର
ଲାଗୁଛୁ ତୁ କାହିଁ ବେଶୀ ଆପଣାର
ଏ ଆଖି ଖୋଜୁଛି ତୋତେ
କେମିତି ଭୁଲିଲୁ ମୋତେ ।
ଶ୍ରାବଣ ଆସିଲେ ବେଶୀ ମନେ ପଡୁ
ଗୋଟିଏ ଛତାର ତଳେ
ଭିଜୁଥିଲେ ଆମେ ମେଘ ବରଷାରେ
ଛତାକୁ ଭସେଇ ଜଳେ
ଛମ୍ ଛମ୍ ତୋର ପାଉଁଜିର ତାଳେ
ମନ ଯାଉଥିଲା ହଜି
ଚଡକେ ଚମକି ମୋ ଛାତିରେ ଲୁଚି
ଦେଉ ଥିଲୁ ଆଖି ବୁଜି
ଲାଜ ଲାଜ ଥିଲା ତୋ ଆଖି ଚାହାଣୀ
ଗଢି ଥିଲା ସିଏ ପ୍ରେମର କାହାଣୀ
ପାଉଥିଲୁ ଭଲ କେତେ
କେମିତି ଭୁଲିଲୁ ମୋତେ ।
ମାଘ ମାସର ସେ ବାଘ ପରି ଶୀତେ
ଥରୁ ଥିଲା ଓଠ ତୋର
କୁଡିଆ ପାଖରେ ନିଆଁ ଜାଳି ସାଥି
ଚାହୁଁ ଥିଲୁ ପଥ ମୋର
କ୍ଷଣେ ନ ଦେଖିଲେ ପାଗେଳି ପରିକା
ଆସୁ ଥିଲୁ ପାଶେ ଧାଇଁ
କାହିଁକି ମୋ ଠାରୁ ଦୂରେଇ ଗଲୁ ତୁ
କେଉଁ ଅପରାଧ ପାଇଁ
କି ଦୋଷ କରିଲି କହି ଦେ ଥରେ
ଜଳୁଛି ସାଥି ତୋ ବିରହ ନିଆଁରେ
ଥରେ ଦେଖା ଦେ ମୋତେ
ଏ ମନ ଝୁରୁଛି ତୋତେ ।
ସାତ ଜନମର ସାଥି ହେବା ପାଇଁ
କଥା ଦେଇଥିଲୁ ମୋତେ
ଅଧା ବାଟେ ଆଜି ହାତ ଛାଡି ଦେଲୁ
କେମିତି ବଞ୍ଚିବି ସତେ
ମୋ ଭଲ ପାଇବା ନୁହେଁରେ ଛଳନା
ରକତେ ଦେଇଛି ଲେଖି
କେହି ନ ଜାଣିଲେ ତୁ ରେ ଜାଣିଛୁ
ତୋ ଆଖି ରହିଛି ସାକ୍ଷୀ
ସହୁ ତୁ ନ ଥିଲୁ ମୋ ଆଖିର ଲୁହ
ଛାତିରେ ଭରିଲୁ ତୁ ଅଶରା କୋହ
ନିଷ୍ଠୁର ହେଲୁରେ ଏତେ
କେମିତି ଭୁଲିଲୁ ମୋତେ ।
ପାଦେ ମୋର ଯେବେ କଣ୍ଟା ଗଳି ଯାଏ
ଝରି ଯାଏ ଲୁହ ତୋର
ନିଜେ ଚଲା ପଥେ କଣ୍ଟା ଭରି ଦେଲୁ
ହୃଦୟ ହେଲା ପଥର
ମୋ ଲୁହକୁ ଦେଖି ହେଉ ଯଦି ଖୁସି
କଥା ଦେଉଛି ମୁଁ ତୋତେ
ତୋ ସ୍ମୃତିରେ ଭିଜି ରହି ଥିବି ବଞ୍ଚି
ଲାଗୁ କଷ୍ଟ ଯେତେ ମୋତେ
ପାଉଛି ମୁଁ ଭଲ ତୋତେ ପାଉଥିବି
ମଶାଣୀ ଜୁଈରେ ପଛେ ଜଳି ଯିବି
ଭୁଲି ପାରିବିନି ତୋତେ
କେମିତି ଭୁଲିଲୁ ମୋତେ ।