STORYMIRROR

Biswanath Nayak

Abstract

3  

Biswanath Nayak

Abstract

ସ୍ମୃତି -----

ସ୍ମୃତି -----

1 min
392

ସମୟ ସୁଅରେ

ଦିନ ଆଉ ରାତି

ପାଣି ପରି ବହିଯାଏ,

ମନ ଆକାଶରେ

ତାରାପୁଞ୍ଜ ଭଳି

ସ୍ମୃତି ଉଙ୍କି ମାରୁଥାଏ

କେତେ ଦୁଃଖ ସୁଖ

ଆଉ ଭଲମନ୍ଦ

ସ୍ମୃତି ତ ସାଇତି ଥାଏ,

କେତେବେଳେ ଝରେ

ହୋଇ ଲୁହଧାର

କେତେବେଳେ ସେ ହସାଏ

ହୃଦୟ ସାଗର

ବାଲୁକା ଦ୍ଵୀପରେ

କେତେ ଚିହ୍ନା ଚିହ୍ନା ମୁହଁ,

ଆସନ୍ତି ଯାଆନ୍ତି

ଛାଡି ପାଦ ଚିହ୍ନ

ଦେଇ ହସ କିବା ଲୁହ

ସାଗର ବୁକୁର

ସୁନୀଳ ତରଙ୍ଗ

ଧୋଇଦିଏ ପାଦ ଚିହ୍ନ,

ମନ ସାଗରର

ତରଙ୍ଗ ଆଘାତେ

ସ୍ମୃତିକୁ ଭୁଲେନା ମନ

ପାଉଁଶ ତଳର

ନିଆଁ ଟିକେ ଭଳି

ସ୍ମୃତି ଉଙ୍କି ମାରୁଥାଏ,

ନିରୋଳା ମୁହୂର୍ତ୍ତେ

ଭାବନା ମରୁତେ

ଦିକି ଦିକି ଜଳେ ସିଏ

ସ୍ମୃତି କେବେ ସାଜି

ଚୋରା ଚଇତାଳି

ଲେପଇ ଅଙ୍ଗେ ଚନ୍ଦନ,

ସାଜି କେବେ ସିଏ

ବଇଶାଖୀ ଝାଞ୍ଜି

ଦଗଧ କରେ ଜୀବନ

ଯାହା ଓଠ ଭିଜେ

ସ୍ମୃତିର ଲୁହରେ

ତା ବେଦନା ଜାଣେ ସିଏ,

ସ୍ମୃତି ଯାହା ମନେ

ଫୁଟାଏ ଗୋଲାପ

ତା ଓଠ ହସ ଝରାଏ

ଦେଉ ଲୁହଧାର

ଅବା ହସଭାର

ଏକାନ୍ତ ନିଜର ସିଏ,

ସ୍ଵାର୍ଥର ଦୁନିଆ

ଛାଡି ଚାଲିଯାଏ

ସ୍ମୃତି କିନ୍ତୁ ପାଶେ ଥାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract