ସ୍ମୃତି ତୁମେ
ସ୍ମୃତି ତୁମେ
ସ୍ମୃତି ତୁମେ ପାଉଁଶ ତଳର ନିଆଁ
କେବେ ଥାଇ ପାଶେ ଦିଅନି ଛୁଆଁ
କେବେ ତୁମେ ମନ୍ଦିର ବେଢାର ଘଣ୍ଟି
ପୁଣି କେବେ ଶୀତ ସକାଳର ଧୂଆଁ ।
ସ୍ମୃତି ତୁମେ ଆସ କେବେ କେବେ
ଆମ ଗାଁ ଦୋଳ ମେଳଣ ଜାତକୁ,
କେବେ ସାଜି ପ୍ରେୟସୀ ରୂପରେ
ଫୁର୍ କିନା ଉଡାଇ ନିଅ ଚଗଲା ମନକୁ ।
ସ୍ମୃତି ତୁମେ କେବେ ଲହ ଲହକା
ପାଚିଲା ଧାନ କିଆରୀର ଖୋଲା ହସ,
କେବେ ସାଜ ପୁଣି ଅତି ବୈରାଗୀ
ଅଦିନିଆଁ ବରଷା ରୂପକ ବିଷ ।
ସ୍ମୃତି ତୁମେ ପାଖେ ଥିଲେ ଲାଗ
ନୂଆ ନୂଆ ଅଳତା ପିନ୍ଧା ସାଧବ ବୋହୁ,
ଏମିତିରେ କେତେ ରାତି ବିତିଯାଏ
ନୀରବରେ ତୁମ ସାଥେ କଥା ହେଉ ହେଉ ।
ସ୍ମୃତି ତୁମକୁ ସଜାଇ କୋଣାର୍କ ଚୂଡ଼ାରେ
ଆଙ୍କି ଥିଲି ଗୋଟେ ପ୍ରେମ ପ୍ରଣୟର ଚିତ୍ର,
ବାସ୍ତବକୁ ଫେରି ଦେଖିଲି ଯେବେମୁଁ
ତୁମେ ନାହଁ ହୋଇଯାଇଛ ଗୋଟିଏ ଅଭୁଲା ଗୀତ ।
ସ୍ମୃତି ତୁମେ କିନ୍ତୁ ଆଜି ଆଗ ଭଳି ନାହଁ
ହୋଇଯାଇଛ ଗୋଟେ ଅମାନିଆଁ ବନ ଝରଣା,
ତୁମେ ଥାଉ ଥାଉ ପାଖେ ପାଖେ ମୋର
ମୁଁ କିନ୍ତୁ ଗୋଟେ ପ୍ରତୀକ୍ଷିତ ନାୟକରେ ଗଣା ।।