ସ୍ମୃତି ଓ ପ୍ରଶ୍ନ
ସ୍ମୃତି ଓ ପ୍ରଶ୍ନ
ମୁହଁଟି କୋମଳ ଉଜ୍ଜ୍ବଳ ସୁନ୍ଦର
ହସଧାର ରଶ୍ମିରେଖା
ସ୍ବଚ୍ଛ ହୃଦୟରେ ଗଭୀର ବିଶ୍ବାସ
ତଲ୍ଲୀନତା ଏକାତ୍ମତା ।
ଆଖିରେ ଆଖିଏ ଅସୀମ ଜିଜ୍ଞାସା
ମନରେ ପ୍ରଶ୍ନ ଅନେକ
ସୂତ୍ର ସମାଧାନ ପାଇଁ ତତ୍ପରତା
ଅବ୍ଯର୍ଥ ଜୀବନ ଲକ୍ଷ୍ଯ ।
ହୃଦୟରେ ଜାଳି ଜ୍ଞାନର ଦୀପାଳୀ
ଉତ୍ସୁକେ ପଥକୁ ଚାହିଁ
ରହୁଥିଲ ନିତି ହୋଇ ସୁପ୍ରସ୍ତୁତ
ସନ୍ଦେହ ମୋଚନ ପାଇଁ ।
କର୍ମ ଓ ବଚନେ ଭାବ ଏକନିଷ୍ଠ
ଗଭୀର ଅଧ୍ୟବସାୟୀ
ପ୍ରଶ୍ନର ଉତ୍ତର ଖୋଜି ସମାଧାନ
କୃତାର୍ଥ ହୋଇଛି ମୁହିଁ ।
ଖୋଜିଛି ଖୋଜୁଛି ଜାଗ୍ରତେ ସ୍ବପନେ
ସ୍ରୋତଧାର ଅନୁକୂଳେ
ଗୋଟାଉଛି ଯତ୍ନେ ଶିପ ଶାମୁକାକୁ
ରତ୍ନ ମଣି କୁତୁହଳେ ।
ନିରେଖୁଛି ବସି ନୀଳ ନୀଳିମାକୁ
ସଞ୍ଜେ ଉଏଁ ତାରା ଜହ୍ନ
ବିକାଶ ଉନ୍ମୁଖୀ ଗୋଲାପ କଳିରେ
ଜାଗେ ସ୍ମୃତି ପ୍ରଶ୍ନ ଚିହ୍ନ ।
