STORYMIRROR

Ajaya Mahala

Fantasy

4  

Ajaya Mahala

Fantasy

ଆହୁରି କିଛି ନା

ଆହୁରି କିଛି ନା

2 mins
101


"ଆହୁରି କିଛି ନା !" 

ଏତକ କହି ଏହି ଅଭିବ୍ୟକ୍ତିର 'ନା' ଟାକୁ 

ଯେବେ ଯେବେ ଟିକିଏ ଲମ୍ବେଇ ଦେଉଥିଲ

ଲାଗୁଥିଲା କଟାକ୍ଷର ହାତୁଡି 

ଉଞ୍ଚେଇ ଧରୁଥିଲ ମୁଣ୍ଡ ଉପରେ ।


ଆସନ୍ନ ବିପଦ ଅନୁମାନ କରି

କୁଳଦେବୀକୁ ସ୍ମରଣ କରିବା

ମୁଦ୍ରାରେ ବସୁ ବସୁ

ଦୁମ୍ କରି ପୂର୍ବ ଅନୁମିତ ଅନ୍ଦାଜ଼ରେ

ହାତୁଡି ମାଡ଼ ପଡୁଥିଲା

"ମିଛୁଆ !" ଆରୋପ ସହ


"ଆହୁରି କିଛି ନା !"

ମଧୁର ପ୍ରେମପୂର୍ଣ୍ଣ ଅବିଶ୍ୱାସର 

ପଦଟିଏ ହେଲେ

"ମିଛୁଆ" ବିନା ମକଦ୍ଦମା

ଆଉ ବିଚାରରେ

ତୁମ ଓଠରେ ଦୋଷୀ ସାବ୍ୟସ୍ତ

କରୁଥିବାର ମିଠା ଘୋଷଣା

ଯାହାର ଶୁଣାଣି ନାହିଁ

ଅପିଲ ବି ନାହିଁ ।


ସତ କହିବାକୁ ଗଲେ 

ତୁମ ହାତୁଡି ଉଞ୍ଚେଇବା 

ଆଉ ହାତୁଡି ମାଡରେ

ମୁଁ ପ୍ରେମଲହୁ ଜର୍ଜ୍ଜରିତ ହୁଏ 

ସରେନି ତୁମ ମିଠା ଅବିଶ୍ୱାସ 

ଆଉ ମୋ ଭାଗ୍ୟବାନ ହେବାର

ମିଠା ଅନୁଭବ


କହିତ ନ ଥିଲି 

ମୋ ଜେଜ ଓଡ଼ିଶାର ପ୍ରଥମ ମାଟ୍ରିକ

ଆମ ବାଡ଼ିରେ 

ନାକ ନ ଥିବା ଆମ୍ବ ଫଳୁଥିଲେ

କିମ୍ବା ଆମର ମାଛଟିଏ ପାଳିଥିଲୁ 

ଯିଏ ନାକରେ ସୁନା ନୋଥ ଟିଏ ପିନ୍ଧି 

ଆକ୍ୱେରିୟମରେ 

ଏପଟ ସେପଟ ବୁଲୁଥିଲା ।


କେବେ କହିଥିଲି କି 

ଆମ ବାଡ଼ି ତେନ୍ତୁଳି ଏତେ ମିଠା ଯେ

ସେଥିରେ ଜନ୍ଦା ଲାଗୁଥିଲେ ?

କେବେ ବାହାସ୍ପୋଟ ମାରିଥିଲି

ତୁମ ସରଳ ବିଶ୍ୱାସ ଆଗରେ ?

ବାହାପିଆ ହୋଇ କେବେ 

କହିଥିଲି କି-

ଆମର ବାରବାଟୀ ଚାଷ ?


କେବଳ ଏତିକି ତ କହିଥିଲି

ଘରଟା ଖାଁ ଖାଁ ଲାଗେ ତୁମ ବିନା

ତୁମ କଥା ଭାବି ଶୋଇ ନ ଥିଲି

ରାତି ସାରା 

ଶୋଇଥିଲି କାଲି 

ତୁମ ପିନ୍ଧା ଲୁଗା ମୁଣ୍ଡ ତଳେ ରଖି

ତୁମ କଳ୍ପନାରେ ନିଦକୁ ମୋ 

ବାସ୍ନାୟିତ, ସ୍ୱପ୍ନାୟିତ କରି


ଏତିକି ତ ମିଛ ଚଳେ 

ଭଲ ପାଇବାରେ 

ଯେବେ ମୁଁ ହାତ ଦେଖି 

ତୁମ ଭାଗ୍ୟ କହୁଥିଲି 

ତୁମ ସହ ମୋର ଆଗରୁ କେବେ 

କେଉଁ ଜନ୍ମରେ ଦେଖା ହୋଇଥିଲା

ଅବା କାଲି ରାତିରେ ତୁମେ 

ନିଦରେ ମୋତେ 

କିପରି କୁଣ୍ଢେଇ ଧରିଥିଲ

ଗହନ ନିଦରେ ତୁମେ ବି

ମୋ ପରି ଘୁଙ୍ଗୁଡ଼ି ମାର

ମତେ କେତେ ଗାଳି ଦେଉଥିଲ

ଅବା କେଉଁ ପୁରୁଣା ପ୍ରେମିକର 

ନିଦରେ ନାଁ ଧରିଥିଲ

 

ମୋ ପ୍ରେମର ଏ କି ଦୁର୍ଭାଗ୍ୟ ହେଲା ଯେ

ଏବେ ସବୁ କଥା ମୋର 

ବିଶ୍ୱାସ କରି ଯାଅ

ବିନା ପ୍ରଶ୍ନ କରି

ଗ୍ରହଣ କରି ଯାଅ ମତେ

ବିନା ଅଳି ଅର୍ଦ୍ଦଳିରେ ।

ବୁଝି ପାରେନା

ତୁମ ମନ ବିଧାନସଭାରେ

ମୋର ପ୍ରତ୍ୟେକ ପ୍ରସ୍ତାବ 

କିପରି ଆଜିକାଲି 

ଏତେ ସହଜରେ ପାସ ହୋଇଯାଏ ।

ମୋର ଦୁର୍ଭାଗ୍ୟ ଏହି ଯେ

ଜର୍ଜ୍ଜରିତ ହେଉନି ଏବେ ତୁମ 

ପ୍ରେମ ପୂର୍ଣ୍ଣ ଅବିଶ୍ୱାସର 

ହାତୁଡି ମାଡରେ 

ଚଳଚ୍ଚିତ୍ରମୟ ସାରାରାତି ତ

ବହୁତ ଦୂର କଥା

ଏବେ ମନେ ପକେଇଲେ ଲାଗେ

ଯେପରି ବହୁଦିନରୁ 

ଏହି ସ୍ୱାର୍ଥପର 

ତୁମକୁ ନେଇ

ଚେନାଏଁ ସ୍ୱପ୍ନ ବି ଦେଖିନି


ଜୀବନର ଏ 

ଦୁଇ ଜଣିଆ ବାଗୁଡି ଖେଳରେ

କିଏ ଜାଣେ ଖେଳୁ ଖେଳୁ 

କେବେ ରାହା ସରି ଯିବ

ସେଥିପାଇଁ ତ କହୁଛି 

ଆଜିକାଲି ଯେବେ ମୁଁ

"ମୁଁ ତୁମକୁ ଭଲ ପାଏ" କହେ

ଥରେ ତ ଚାପା ମିଠା ସ୍ୱରରେ 

ମତେ 'ମିଛୁଆ' କହିଦେଇ

ଥରେ ତ ହାତୁଡି ମାର 

ଜୋର କରି ।

ଟିକେ ତ

ମୋ ପାଇଁ

ପ୍ରାୟଶ୍ଚିତର ଦ୍ୱାର

ଖୋଲା ରଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy