STORYMIRROR

ବିନୟ ମହାପାତ୍ର

Romance Classics Fantasy

4  

ବିନୟ ମହାପାତ୍ର

Romance Classics Fantasy

ପ୍ରିୟା, ବର୍ଷା ଓ ସ୍ମୃତି

ପ୍ରିୟା, ବର୍ଷା ଓ ସ୍ମୃତି

3 mins
258

ମେଘ ବରଷିଲା ଟୁପୁରୁ ଟାପୁରୁ

ତୁମ ପାଉଁଜିର ସୁରେ,

କେଉଁ ରାଇଜରେ ରହିଲ ପ୍ରିୟା ଗୋ

ମନେ କି ପଡୁନି ଥରେ ।।

ଏଇ ବରଷାରେ ଭିଜୁଥିଲେ ଦିନେ

ମେଘ ମହ୍ଲାର ସୁରେ

ବରଷାର ବୁନ୍ଦା ଝରି ପଡୁଥିଲା

ତୁମ ସିନ୍ଥି ଧାରେ ଧାରେ ।।

କେଶ ତରଙ୍ଗିଣି, ମୁଖ ସୁରଙ୍ଗିଣୀ

ବରଷା ପାଣିରେ ଆହା,

ଗୋଲାପ କି ସତେ ଗାଧୋଇ ପଡିଛି

ଶିଶିର ବିନ୍ଦୁରେ ଯାହା ।।

ଭିଜା ଶାଢି ତୁମ ଜାବୁଡି ଧରିଛି

ସୁକୁମାରୀ ଅଙ୍ଗ ଲତା,

ଲାଜୁକି ନୟନ ବୁଜି ବୁଜି ଯାଏ

ଓଠ ଭୂଲିଯାଏ କଥା ।।

କାନି ଟାଣୁଥାଅ ଲୁଚାଇ ନେବାକୁ

ଯୌବନର ତୁମ ଧନ,

ପବନ ବି ଆଜି ପାଗଳ ହେଉଛି

ଧନ ଦେଖିବାକୁ ମନ ।।

ସରମୀ ନରମି ପ୍ରିୟତମା ମୋର

ସତେ ସରଗର ପରୀ,

ଶ୍ରାବଣ ସଜାଏ ବରଷା ବିନ୍ଦୁରେ

ଅଜନ୍ତାର ମୂର୍ତ୍ତି ସରି ।।

କେଡେ ସରାଗରେ ଧରା ଦେଇଦିଅ

ବିଜୁଳି ଚମକେ ଯେବେ,

ଜାବୁଡି ଧର ଗୋ ବାହୁବନ୍ଧେ ତୁମ

ସତେ ଛାଡିବନି କେବେ ।।

ଲାଜୁକି ନୟନ ମୋ ଆଖିକୁ ଦେଖେ

ତନୁରେ ଚମକେ ନିଆଁ,

ମୋ ବାହୁ ବନ୍ଧନ ଖୋଲିବାକୁ କୁହ

ମିଛେ କୁହ ନାଁ-ଆ ନାଁ-ଆ ।।

ଶ୍ରାବଣର ଏଇ ଶିତଳ ପବନେ

ଖୋଜୁଛି ତୁମକୁ ସାଥୀ,

ଉଷୁମ ତୁମରି ପରଶ ଖୋଜୁଛି

ଖୋଜୁଛି ତୁମରି ପ୍ରିତି ।।

ଆଜି ବି ଏମିତି କାନ୍ତାରେ ବସିଛି

ଶ୍ରାବଣ ବରଷି ଯାଏ,

ତୁମେ ସିନା ନାହଁ ଆଖେ ପାଖେ ମୋର

ତୁମ ସ୍ମୃତି ନାଚିଯାଏ ।।

*** ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance