STORYMIRROR

Girija Prasanna Prusty

Fantasy Others

2.8  

Girija Prasanna Prusty

Fantasy Others

ଟିଭି ଆଉ ବୋଉ

ଟିଭି ଆଉ ବୋଉ

2 mins
522


ହେ ଟିଭି ର ଚରିତ୍ର ମାନେ

ତୁମେ ଏବେ ଟିଭି ର ନୁହେଁ

ମୋ ଘର ଭଳି

ଅନେକ ଘରର ଜଣେ ଜଣେ ।

ତୁମ ପାଇଁ ଏବେ

ବେଳ କଟୁଥିବ କେତେ ଏକୁଟିଆ ମାଆ ଙ୍କର

କଦବା କେମିତି ହସ ଶୁଣୁଥିବ କେତେ

ଖାଁ ଖାଁ ଘର ଦ୍ୱାର

ସବୁଦିନ ଆସି ତାଙ୍କ କଥା ସହ ଟିକେ ଦେଖା ହୁଅ

ଏକୁଟିଆ ଥିଲା ବେଳେ ତାଙ୍କ ସହ ଟିକେ କଥା ହୁଅ

ପିଲାମାନେ କେହି ଘରେ ତ ନାହାନ୍ତି

କିଏ ଦାଦନ କିଏ ସୁରଟ

କିଏ ବାଙ୍ଗାଲୋର କିଏ ଶାଶୁ ଘର ।


ରଜ ଦୋଳି ବାନ୍ଧିବାକୁ

ଗାଁରେ ତ ଆଉ ପୁଅ ନାହିଁ

ପିଠା ପିଠି ଗଢ଼ିବାକୁ

ମାଆ ର ବି ଆଉ ମନ ନାହିଁ

ଘୋ ଘୋ ଦିନେ ଡାକ ଛାଡ଼ୁଥିବା ଗାଆଁ

ଏବେ ବୋଉ ଭଳିଆ ରୋଗୀଣା ହେଇ

ସଅଳ ଉଠି ପାଦକୁ ଘୋଷାରି ଦିନଟା କାଟି

ସଅଳ ବିଛଣା ଧଇଲାଣି ।


ତୁମକୁ ଦେଖିବ ବୋଲି

ସଂଜ ୭ଟାରୁ ବୋଉର ରୋଷେଇ ସରେ

ଟିଭିଟା ଲଗେଇ ଦେଲେ

ତମେ ସବୁ ଆସି ପଶିଯାଅ ଆମ ଘରେ

ପୁଣି ଲାଗିଯାଏ କେତେ ଯେ ଅଛିଣ୍ଡା ପରବ

ଆମ ଘରସାରା ଭରିଯାଏ ପୁଣି କେତେ ଯେ ଆଦେଖା ଦରବ

ଆମ ପିଲା ବେଳ ଭଳି ପୁଣି ଶୁଭେ

ଛୁଆର କାନ୍ଦମାଆର ଗାଳି

ବାପାଙ୍କ ତାଗିଦ,,ବୁଢ଼ୀମା’ ଗପ ପେଡ଼ି

ତୁମରି ସହ ବୋଉ ମୋର ଟିକେ ମଜ୍ଜି ଯାଏ

ତୁମକୁ ଅନେଇ ବିଛଣାରେ ପୁଣି ଶୋଇଯାଏ ।


ତୁମେ ସବୁ ଅଛ ବୋଲି

ଆମ ଘରେ ପରା ସକାଳେ ହଉଛି କୁଆଁର ପୁନେଇ

ସଂଜରେ ହୋଉଛି ହୋଲି

କେତେ କୁନି କୁନି କୁନି ପିଲା ଆସି

ମୋ ବୋଉ ଆଗରେ ଝୁଲୁଛନ୍ତି ରଜ ଦୋଳି

ଖାସ୍ ତୁମେ ଅଛ ବୋଲି

ମୋ ବୋଉ ବୁଲୁଛି ପୁରୀ ଠାରୁ ଗଙ୍ଗା ଗୋଦାବରୀ

ସକାଳୁ ଶୁଣୁଛି ଭଜନ ଜଣାଣ ସଂଜରେ ଶୁଣୁଛି ନାମାବଳୀ

ତୁମ ହାତ ଧରି ବୋଉ ମୋର ବୁଲେ ହିମାଳୟେ

ତୁମ ସହ ପୁଣି ଅତଳ ଶାଗରେ ତିମି ମାଛ ସହ କଥା ହୁଏ

ତାର ଜୁଆନ ବେଳର ନାୟକଙ୍କ ସହ

ନୀତି ନୀତି ତାର ଦେଖା ହୁଏ ।

ତୁମ ଠାରୁ ପରା ବୋଉ ମୋ ଯାଣୁଛି

କାଲି କି ହବ କି ଖରାହବକି ପୁଣି ଝଡ଼ି

ଫେଣେଇବ କି ସେ ବିରିପାରିବ କି ନାହିଁ ବଢ଼ି ।



ହେ ଟିଭିର ଚରିତ୍ର ମାନେ

ତୁମେ ଏବେ ଟିଭି ର ନୁହେଁ

ମୋ ଘର ଭଳି

ଅନେକ ଘରର ଜଣେ ଜଣେ ।

ମୁଁ ଜାଣିଛି ଉପାସ ଥିଲେ ମୋ ବୋଉ

ଖୁଆଇ ଦେବନି ତମେ କେହି

ଜରେଇ ଥିଲେ ମୋ ବୋଉ

ମୁଣ୍ଡ ଆଉଁସି ଦେବନି ତମେ କେହି

ପଡ଼ି ଯାଉଥିଲେ ଝୁଣ୍ଟି ମୋ ବୋଉ

ଧରି ନେବ ନାହିଁ ତୁମେ କେହି ।

ତଥାପି ତୁମେ ସବୁ ଅଛ ବୋଲି

ମୋ ବୋଉର କଟୁଛି ଆଜି,, ବିତୁଛି କାଲି

ଖାସ୍ ତୁମେ ସବୁ ଅଛ ବୋଲି

ଏକୁଟିଆ ଥାଇ ବୋଉ ମୋ ଭାବୁନି

ଏକୁଟିଆ ଅଛି ବୋଲି ।

ଖାସ୍ ତୁମେ ସବୁ ଅଛ ବୋଲି

କେତେ ମାଆ ଆଜି ହସି ପାରୁଛନ୍ତି

କେତେ ଘର ଆଜି ପୁରି ପାରୁଛନ୍ତି

ହେଇକି ବି ପୁରା ଦୁଃଖୀ

ହେଇକି ବି ପୁରା ଖାଲି ।


ହେ ଟିଭିର ଚରିତ୍ର ମାନେ

ତୁମେ ଏବେ ଟିଭି ର ନୁହେଁ

ମୋ ଘର ଭଳି

ଅନେକ ଘରର ଜଣେ ଜଣେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy