STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ହାତ ଠାରି ଡାକେ ମୋ ଗାଁ ସ୍ମୃତି

ହାତ ଠାରି ଡାକେ ମୋ ଗାଁ ସ୍ମୃତି

2 mins
18.1K


ମୋ ଗାଆଁ ମୋତେ ହାତ ଠାରି ଡାକେ

ଅମୃତ ଭରଇ ତା' ମିଠା ସ୍ମୃତି

ହଜିଲା ଅତୀତ ଝୁମି ଝୁମି ଆସେ

ମୂର୍ଚ୍ଛନାରେ ଭରା ତା' ପୁଣ୍ୟ ଗୀତି ।।

ସବୁଜ କେଦାର ବଣ ବିଲ ନଈ

ସ୍ମୃତିର ପଥେ ତା' ଖରା ଛାଇ

ଅଙ୍କା ବଙ୍କା ରାସ୍ତା ବାଡ ଓ ବଗିଚା

ସ୍ମୃତି ର ପଥେ ତା' ପୁଣ୍ୟ ଭୂଇଁ ।।

ସ୍ମୃତି ହୋଇ ଆସେ ପୁନେଇଁ ର ରାତି

ଶାନ୍ତ ଶୁଭ୍ର ଜୌସ୍ନା ସମୀରଣ

କେତେବେଳେ ବିହଙ୍ଗର ଗୁଂଜନ ତ

କେତେବେଳେ ଶୁଷ୍କ ଉପବନ ।।

ସ୍ମୃତି ହୋଇଆସେ ଫଗୁଣର ଫଗୁ

କୋଇଲିର କୁହୁକୁହୁ ତାନ

କେତେବେଳେ ଅମା ରାତି ଅନ୍ଧକାର

କେତେବେଳେ ଆଲୋକ ପାର୍ବଣ ।।

ସ୍ମୃତି ପଥେ ଆସେ ପାହାନ୍ତିଆ ଦ୍ୟୁତି

ଝଲମଲ ରଂଗ ଓ ବେରଙ୍ଗ

କେତେବେଳେ ସୁମଧୁର ଆକର୍ଷଣ

କେତେବେଳେ ଉତ୍ତାଳ ତରଙ୍ଗ।।

ସ୍ମୃତି ନଇଁ ଆସେ ପିଲା ଦିନ କେତେ

ବାଲିଘର କଣ୍ଢେଇର ଖେଳ

କେତେବେଳେ ଡହ ଡହ ମରୁଭୂମି

କେତେବେଳେ ସ୍ଵପ୍ନ ଢଳଢଳ ।।

ସ୍ମୃତି ସେତ ଗାଆଁ ଦାଣ୍ଡ ବୋହୂ ଚୋରି

କବାଡି ଓ ବାଗୁଡିର ଖେଳ

କେତେବେଳେ କୁଳୁକୁଳୁ ଫଲ୍‌ଗୁ ଧାର

କେତେବେଳେ ଅଶାନ୍ତ ହିଲ୍ଲୋଳ ।।

ସ୍ମୃତି ସେତ ଝଙ୍କାଳିଆ ବରଗଛ

ଝାଉଁ ବଣ ଶୀତଳ ପବନ

କେତେବେଳେ ମହମହ ଫୁଲବନ

କେତେବେଳେ ରୁକ୍ଷ ବାସହୀନ ।।

ସ୍ମୃତି ସେ ତ ନଈ ପଠା କାଶତଣ୍ଡୀ

ଜହ୍ନୀଫୁଲ କୁଆଁର ପୁନେଇଁ

କେତେବେଳେ ଥୁରୁଥୁରୁ ଶୀତ ରାତି

କେତେବେଳେ ନିଆଁର ଉହ୍ମେଇ ।।

ସ୍ମୃତି ସେତ ମଧୁ ବସନ୍ତ ର ଚିଠି

ମନ ଦିଆ ନିଆ ଚୋରା ପ୍ରୀତି

କେତେବେଳେ ଗୋଲାପରେ ମହମହ

କେତେବେଳେ କଣ୍ଟକିତ ରାତି ।।

ସ୍ମୃତି ସେତ ଆଦ୍ୟ ଯୌବନର ରଂଗ

ଶାଳବଣ ସ୍ନିଗ୍ଧ ମଧୁକୁଂଜ

କେତେବେଳେ ପ୍ରେମର ସଂଗୀତ ଧାର

କେତେବେଳେ ଅଶ୍ରୁର ନିକୁଂଜ ।।

ସ୍ମୃତି ସେତ ଟିକି ଟିକି ପ୍ରଜାପତି

ମଧୁ ଝରା ମଧୁର ସପନ

କେତେବେଳେ ହାତ ପାହାନ୍ତାରେ ପଦ୍ମ

କେତେବେଳେ ଜର୍ଜରିତ ପ୍ରାଣ ।।

ସ୍ମୃତି ସେତ ପୁଣ୍ୟ ସାକ୍ଷୀ ଅତୀତର

ବିଶ୍ଵାସର ସ୍ତୁତି ସମ୍ମୋହନ

କେତେବେଳେ ଉର୍ଦ୍ଧ୍ବମୁଖୀ ଦୀପଶିଖା

କେତେବେଳେ କରୁଣ ସ୍ପନ୍ଦନ ।।

ସ୍ମୃତି ସେତ ବିମୋହିତ ପୁଷ୍ପ ଗୁଛ

ପୂର୍ଣ୍ଣତାର ମୁଗ୍ଧ ରୂପା ଜହ୍ନ

କେତେବେଳେ କଳକଳ ଝରଣା ତ

କେତେବେଳେ ସ୍ନିଗ୍ଧ ତପୋବନ ।।

ମୋ ଗାଆଁ ସ୍ମୃତି ହାତ ଠାରି ଡାକେ

ଯାଆନା ତୁ ଚାଲି ଆ' ତୁ ଫେରି

ଧୂଳି ଝାଡି ଦେବି ଲୁହ ପୋଛି ଦେବି

ଆକାଶୁ ଝରିବ ଅମୃତ ଶିରୀ ।।

ହଜିଛି ବିଭବ ଲିଭିଲାଣି ଦୀପ

ଖାଁ ଖାଁ ଲାଗେ ଦିବସ ରାତି

ଉଦାସୀ ଉଦାସୀ ତା' ଫୁଙ୍ଗୁଳା ଦେହ

ଅଶ୍ରୁରେ ଭିଜେ କେତେ ଯେ ନିତି ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy