ସ୍ମୃତି ମନ୍ଥନ
ସ୍ମୃତି ମନ୍ଥନ
ସମୟର ଅବହାୱାରେ
ଚ଼ହଲା ପାଣିରେ କୁଟା ଖିଅର ଆୟୁଷ
ହିସାବ କରୁ କରୁ ଜାଣିଲି
କିଛି ହାରିବାର ତ କିଛି ପାଇବାର
ଆଶା ମନରେ ଭରରହିଛି
ଅହରହ କେଉଁ କାଳରୁ ।
ହୃଦୟର ବିନିମୟ ବେଳେ
ସବୁତ ନିଆରା ଲାଗୁଥିଲା
ତା ସ୍ପର୍ଶ ରେ ମୋ ତନୁରେ ଖେଳୁଥିଲା
ଅଚି଼ହ୍ନା ସେ ଶିହରଣ
ତାର ପରିଭାଷା ବୁଝୁଥିଲି ଧିରେ ଧିରେ
ନିଜର ନିଜର ଅନ୍ତରଙ୍ଗ ଛାଇ ପରି
ପରିଶେଷରେ ଆଶା ମଉଳି
ଅତୀତର ସ୍ବପ୍ନ ସବୁତ ଗଲାଣି ବଦଳି
ହାତ ମୁଠା ଖୋଲି ଏକାନ୍ତରେ
କେବଳ ଶୂନ୍ୟତାକୁ ହିଁ ପାଇଲି
ପାପୁଲିରେ ରେଖାଙ୍କର ଭିଡ଼ ମଧ୍ୟରୁ ।
ମନ ଆକାଶେ ଗୋଧୂଳି ବେଳାର
ଏବେ ସବୁ ସ୍ବପ୍ନ ଧୂଆଁ ଧୂଆଁ ଦିଶେ
ଆଇନା ବି ଠକେ ପ୍ରତ୍ୟେକ ମୁହୂର୍ତ୍ତରେ
ସମ୍ପର୍କର ସବୁ ପାହାଚ଼ରେ
ଆପଣା ଲୋକଙ୍କ ବିଶ୍ବାସ ଘାତକତାର
ଛୋଟ ବଡ଼ କ୍ଷତ ଅଗଣିତ
ବେଳ ନାହିଁ ସବୁ ଗଣିବାକୁ ।
କେଉଁଠି ନିଜର ଅପାରଗତା ର
ପରିଚ଼ୟପତ୍ର ବଦଳେଇବା ଯଦି
ହୁଅନ୍ତା ସହଜ, ସ୍ବପ୍ନ ସାଉଁଟି ଆଣି
ସଜେଇ ଦିଅନ୍ତି ମୁଦା ଆଖିରେ
ପୁଣି ବୋହି ଆଣନ୍ତି ପଣତ କାନିରେ
ବସ୍ତା ବସ୍ତା ସୁଖର ଅତିଶୟ
ଓ ପ୍ରୀତି ଅତିରେକ ବିନା ବଇନାରେ ।
ଘଡି଼ ଘଡ଼ି ବଦଳେ ଦୁନିଆଁ
ବଇରି ତ ପ୍ରତ୍ୟେକ ସୋପାନରେ
ମିଳିଯାଆନ୍ତି ହାତପାହାନ୍ତାରେ
କେବେ ମସୃଣ ତ କେବେ ବିଷମ
ପ୍ରଚୁର ଉପଲବ୍ଧ ହାଟ ବଜାରରେ
ମିଛ ପ୍ରତିଶୃତି ଗୋଛା ଗୋଛା
ଭିଡ଼ ମୋ ଚତୁର୍ପାଶ୍ବରେ ।