STORYMIRROR

samhita jena

Children

3  

samhita jena

Children

ସ୍ମୃତି ଏକ ଫୁଲ ବନ

ସ୍ମୃତି ଏକ ଫୁଲ ବନ

1 min
305


ଗାଆଁ ଚାହାଳିର ସିଲଟ ଖଡ଼ିରେ

ଆରମ୍ଭ ହୋଇଲା ପାଠ

ମଧୁ ବର୍ଣ୍ଣବୋଧ ପଢୁ ପଢୁ ଆମେ

ଦେଖିଲୁ ସ୍କୁଲର ବାଟ।


ଝିପି ଝିପି ବର୍ଷା କାଦୁଅ ପାଣିରେ

ଓଦା ସର ସର ହୋଇ

ବିଜୁଳି ଚମକେ ଘଡ ଘଡି ଡାକେ

ଯାଉ ଟିକେ ରହି ରହି।


ବହି ଖାତା ଚିରି କାଗଜରେ ଡ଼ଙ୍ଗା

କରିକି ଭସେଇ ଦେଉ

ମନେ ଡର ଥାଏ ଘରକୁ ଆସିଲେ

ଗାଳି ଦେବ କାଳେ ବୋଉ।


ହୋଇ ସାଙ୍ଗ ମେଳି ଖେଳୁ ଲୁଚକାଳି

କିତି କିତି ଖପରାରେ

ସଞ୍ଜ ବୁଡ଼ିଗଲେ ଘରକୁ ଫେରିଲେ

ବସୁ ଜେଜେମା' ପାଖରେ।


ଜେଜେ,ଜେଜେମାଆ ଗପ କହୁଥା'ନ୍ତି

ଲାଗୁଥାଏ ଭାରି ଖୁସି

ଗପ ଶୁଣୁ ଶୁଣୁ ନିଦ ଆସିଯାଏ

ବୁଢ଼ୀ ମା' ଦିଏ ଆଉଁସି।


ସାଙ୍ଗ ସାଥୀ ମେଳେ ବୁଲି ବେଳେ ବେଳେ

ଧରୁ କଙ୍କି,ପ୍ରଜାପତି

ପିଜୁଳି,କମଳା,ଜାମୁକୋଳି ଖାଇ

ଖେଳରେ ଯାଉ ତ ମାତି।


କାଳି ଅନ୍ଧାରରୁ ଉଠିପଡ଼ି ଆମେ

ଯାଉ ଫୁଲ ତୋଳିବାକୁ

ନାନା ଜାତି ଫୁଲ ଚାଙ୍ଗୁଡ଼ିରେ ଭରି

ଫେରୁ ତ ଆମେ ଘରକୁ।


ପୂଜା ପାଇଁ ଆମେ ତୋଳୁ ସିନା ଫୁଲ

ପୂଜା ବିଧି ଜାଣୁ ନାହିଁ

ସମୟ ସାଥିରେ ଚପଳ ମନଟା

ହଜିଗଲା ଅବା କାହିଁ।


ସାଙ୍ଗସାଥି ମେଳ ପିଲାବେଳ ଖେଳ

ନିଷ୍ପାପ ଶିଶୁର ମନ

ଅଝଟ କାହାଣୀ ସେନେହର ମୁଣି

ସାଇତିଛି ସବୁ ମନ।


ଚିନ୍ତା ଚେତନାର ସୀମାରେଖା ତଳେ

ପ୍ରଜାପତି ପରି ମନ

କିଛି ସେଠି ସ୍ପଷ୍ଟ କିଛି ବି ଅସ୍ପଷ୍ଟ

ସ୍ମୃତି ଏକ ଫୁଲବନ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children