ସ୍ମୃତି ଦର୍ପଣ
ସ୍ମୃତି ଦର୍ପଣ
ତୁ ମୋର ହସ ଲୁହ
ତୁହି ମୋ ସ୍ନେହର ମୁଣା
ତୋତେ ମୁହିଁ ଝୁରେ ନିତି
ସତେ କି ଧନ ରଙ୍କୁଣା ।
ତୋ ସାଙ୍ଗେ କଳି ନକଲେ
ମନେ ହୁଏ ଭାରି ଏକା
ଦିନେ ନଦେଖିଲେ ତୋତେ
ଲାଗେ ଭାରି ଏକା ଏକା ।
ମା'ର ଉଦରୁ ଯେବେ
ଜନମିଲେ ବେନି ଜଣ
ଦେହ ସିନା ଦୁଇ ଭାଗ
ହେଲେ ଆମ ଏକ ପ୍ରାଣ ।
ସ୍ନେହର ସୁଗନ୍ଧ ବୋଳା
ଏଇ ମମତା ବନ୍ଧନ
ତୋ ମୁହଁ ଉଦାସ ହେଲେ
ଝାଉଁଳି ଯାଏ ମୋ ମନ ।
ବାପା ଗାଳି କଲେ ମୋତେ
କାନ୍ଦି କହୁ ମୋର ଆଗେ
ସାଙ୍ଗ ସାଥୀ କଳି କଲେ
ଚାଲ ଭାଇ ଚାଲ ବେଗେ ।
ଓଳି ଗଡା ପାଣି ତଳୁ
ଆଞ୍ଜୁଳାଏ ପାଣି ଆଣି
ଦେହକୁ ତୁ ଛାଟି କହୁ
ମୁହିଁ ଯେ ବଡ ବାୟାଣୀ ।
ଧାରା ଶ୍ରାବଣ ମାସରେ
ଦାଣ୍ଡ ପାଣି ସ୍ରୋତ ଧାରେ
କହୁ ଥିଲି ଭଉଣୀକୁ
ନେଇ ଯା'ରେ ଶାଶୁ ଘରେ ।
ସୁନା କନିଆଁ ସାଜିଲୁ
ଚାଲି ଗଲୁ ବଧୂ ବେଶେ
ତୋର ପିଲାଳିଆ ସ୍ମୃତି
ରହି ଗଲା ଅବଶେଷେ ।
ସେ ସ୍ମୃତି ସଂଭାର କରି
ସଜାଡିଛି ତୋର ଭାର
ରାକ୍ଷୀ ପୂର୍ଣ୍ଣିମା ଆସିଲେ
ଯିବି ତୋର ଶାଶୁ ଘର ।