STORYMIRROR

Geetanjali Prusty

Classics

4  

Geetanjali Prusty

Classics

ସମର୍ପିତା

ସମର୍ପିତା

1 min
10


ଗୋଲାପର ଏକ ସତେଜ ପାଖୁଡ଼ା

ଦେଇଥିଲ ତୁମେ ମୋତେ

ତୁମ ପାଦରେ ମୁଁ ଅଜାଡ଼ି ଦେଇଛି

ଆଞ୍ଜୁଳା ଆଞ୍ଜୁଳା କେତେ ll


ତୁମେ ଦେଇଥିଲ ସପନ ରାଇଜେ

ଘରଟିଏ ମୋତେ ତୋଳି

ସମର୍ପି ଦେଲି ମୁଁ ସମଗ୍ର ସତ୍ତାକୁ

ଶ୍ରଦ୍ଧା ପ୍ରୀତି ରଙ୍ଗ ବୋଳି ll


ମନ ଦରିଆରେ ତୁମରି ତରଙ୍ଗ

ମଥା ପିଟୁ ଥିଲା ନିତି

ନିଃଶ୍ବ ଆଜି ସେ ବେଳାଭୂମି ଖୋଜେ

ତୁମରି ସାନ୍ନିଧ୍ୟ ପ୍ରୀତି ll


ପୀୟୂଷ ସମ ମୋ ପ୍ରୀତି ପଣତରେ

ଆବିଳତା ଦେଲ ଭରି

ଦୂର ଦିଗବଳୟେ ଦେବତା ସମକି

ମୋ ମନକୁ କଲ ଚୋରି ll


ଦୁନିଆ ଦାଣ୍ଡରେ ସଜାଇଲ ମୋତେ

କଳଙ୍କିନୀ ଟିଏ ବୋଲି

କାହିଁକି ଏମିତି କରିଲ ହେ ସାଥୀ

କି ଦୋଷ ମୁଁ ତୁମ କଲି ll


ତୁମରି ହାତରୁ ଟୋପାଏ ସିନ୍ଦୁର

ଲୋଡୁଛି ମୋ ଶୂନ୍ୟ ମଥା

ସେତିକି ଯଥେଷ୍ଟ ଲୋଡ଼ୁନି ମୁଁ ଆନ

ନିବେଦୁଛି ଶେଷ କଥା ll


ଆଶା ଆଶଙ୍କାର ଦିବ୍ୟ ସମ୍ମୋହନେ

ହୃଦୟ ମୋ ପ୍ରକମ୍ପିତ

ପ୍ରୀତି ବଗିଚାରୁ ଚିମୁଟାଏ ଦେଲେ

ହେବି ମୁହିଁ ସୁରଭିତ ll


ମଉଳା ଗୋଲାପ ଆଜିବି ମୋ ପାଖେ

ବାସେ ମହ ମହ ହୋଇ

ସକାଳରୁ ସଞ୍ଜ ଚାହିଁଛି ତୁମକୁ 

ଚାହିଁ ଥିବି ତୁମ ପାଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics