ସମର୍ପିତା
ସମର୍ପିତା
ଗୋଲାପର ଏକ ସତେଜ ପାଖୁଡ଼ା
ଦେଇଥିଲ ତୁମେ ମୋତେ
ତୁମ ପାଦରେ ମୁଁ ଅଜାଡ଼ି ଦେଇଛି
ଆଞ୍ଜୁଳା ଆଞ୍ଜୁଳା କେତେ ll
ତୁମେ ଦେଇଥିଲ ସପନ ରାଇଜେ
ଘରଟିଏ ମୋତେ ତୋଳି
ସମର୍ପି ଦେଲି ମୁଁ ସମଗ୍ର ସତ୍ତାକୁ
ଶ୍ରଦ୍ଧା ପ୍ରୀତି ରଙ୍ଗ ବୋଳି ll
ମନ ଦରିଆରେ ତୁମରି ତରଙ୍ଗ
ମଥା ପିଟୁ ଥିଲା ନିତି
ନିଃଶ୍ବ ଆଜି ସେ ବେଳାଭୂମି ଖୋଜେ
ତୁମରି ସାନ୍ନିଧ୍ୟ ପ୍ରୀତି ll
ପୀୟୂଷ ସମ ମୋ ପ୍ରୀତି ପଣତରେ
ଆବିଳତା ଦେଲ ଭରି
ଦୂର ଦିଗବଳୟେ ଦେବତା ସମକି
ମୋ ମନକୁ କଲ ଚୋରି ll
ଦୁନିଆ ଦାଣ୍ଡରେ ସଜାଇଲ ମୋତେ
କଳଙ୍କିନୀ ଟିଏ ବୋଲି
କାହିଁକି ଏମିତି କରିଲ ହେ ସାଥୀ
କି ଦୋଷ ମୁଁ ତୁମ କଲି ll
ତୁମରି ହାତରୁ ଟୋପାଏ ସିନ୍ଦୁର
ଲୋଡୁଛି ମୋ ଶୂନ୍ୟ ମଥା
ସେତିକି ଯଥେଷ୍ଟ ଲୋଡ଼ୁନି ମୁଁ ଆନ
ନିବେଦୁଛି ଶେଷ କଥା ll
ଆଶା ଆଶଙ୍କାର ଦିବ୍ୟ ସମ୍ମୋହନେ
ହୃଦୟ ମୋ ପ୍ରକମ୍ପିତ
ପ୍ରୀତି ବଗିଚାରୁ ଚିମୁଟାଏ ଦେଲେ
ହେବି ମୁହିଁ ସୁରଭିତ ll
ମଉଳା ଗୋଲାପ ଆଜିବି ମୋ ପାଖେ
ବାସେ ମହ ମହ ହୋଇ
ସକାଳରୁ ସଞ୍ଜ ଚାହିଁଛି ତୁମକୁ
ଚାହିଁ ଥିବି ତୁମ ପାଇଁ ll